ଗୁଡାରୀରେ ଯୁବକଙ୍କୁ ଗୁଳି : ଦିଗପହଣ୍ଡିରେ ଖଣ୍ଡାରେ ହାଣିଲେ

ବ୍ରହ୍ମପୁର/ରାୟଗଡା : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ୍ଥପଲ୍ଲୀ ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ରାସ୍ତାରେ ଗୋଡାଇ ଗୋଡାଇ ହାଣିଛନ୍ତି। ସେହିପରି ରାୟଗଡ଼ାର ଗୁଡାରୀ ନାଇରା ଗାଁରେ ଶୋଇଥିବା ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ହୋଇଛି ଖଣ୍ଡାରେ ଆକ୍ରମଣ। ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ ଆକ୍ରମଣର ଶିକାର ହୋଇଛି। ରବିବାର ସକାଳେ ପଞ୍ଚୁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗାଁ ଛକ ମନ୍ଦିର ନିକଟରେ ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲ୍ରେ ଭର୍ତ୍ତି କରଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ରାୟଗଡ଼ା ଜିଲ୍ଲା ଗୁଡାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ କିରଣ ଟାକ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ କେହି ଗୁଳି କରିଛି। କିନ୍ତୁ କିଏ ଓ କାହିଁକି କିରଣଙ୍କୁ ହତ୍ୟା କଲା ତାହା ଜଣାପଡ଼ି ନାହିଁ। ଗୁଡାରୀ ପୋଲିସ୍ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।