ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ : ସୋଶାଲ ମିଡିଆ ଓ ଷ୍ଟ୍ରିମିଂ ପ୍ଲାଟଫର୍ମ ପାଇଁ ଆଜି କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଅନେକ ସମୟରେ ଓଟିଟି ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଥିବାରୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଭୟ ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ନିର୍ଦ୍ଧାରଣ କରାଯାଇଛି।
ଡିଜିଟାଲ୍ ବା ସୋଶାଲ ମିଡିଆର ଗାଇଡଲାଇନ ଜାରି କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ। ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡ୍ର ବ୍ୟବସ୍ଥା କରାଯିବ।
ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତି ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ। ସେହିପରି ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିଷୟ ବସ୍ତୁ ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବାକୁ ହେବ। ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଓ ସ୍ଥାନୀୟ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ।
ସେହିପରି ଚାଇଲ୍ଡ୍ ଲକ୍ ସିଷ୍ଟମ ଓ ବୟସ ଭେରିଫିକେସ୍ର ବ୍ୟବସ୍ଥା ରହିବ। ଆପତ୍ତିଜନକ ଦୃଶ୍ୟ ଯେମିତି ଛୋଟ ପିଲା ଦେଖିପାରିବେ ନାହିଁ, ସେଥିଲାଗି ସର୍ଭିସ ପ୍ରୋଭାଇଡର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ। ଯଦି ଓଟିଟି ପ୍ଲାଟଫର୍ମରେ କୌଣସି ଆପତ୍ତି ବା ଭୁଲ ଦୃଶ୍ୟ ପ୍ରସାରଣ କରାଯାଏ, ତା’ହେଲେ ଟିଭି ଭଳି ସେଥିରେ ମଧ୍ୟ ଦେଶବାସୀଙ୍କୁ ସଂପୃକ୍ତ ସଂସ୍ଥା କ୍ଷମା ମାଗିବେ। ଓଟିଟି ଫ୍ଲାଟଫର୍ମ ସେଲଫ ରେଗୁଲେଟିଂ ସଂସ୍ଥା ପ୍ରତିଷ୍ଠା କରିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କିମ୍ବା ଏହି ବର୍ଗର ଜଣେ ପ୍ରଖ୍ୟାତ ଲୋକଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିବେ।