ଗୁଜରାଟ : ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ବିଧାୟକ ଦଳ ନେତାଙ୍କ ଇସ୍ତଫା

ଅମମ୍ମଦାବାଦ : ଗୁଜରାଟ ନଗର ନିଗମ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିଲା। ପଞ୍ଚାୟତ ସ୍ତରରେ ହୋଇଥିବା ନିର୍ବାଚନରେ ମଧ୍ୟ ଲଜ୍ଜାଜନକ ପରାଜୟ ହୋଇଛି। ଏପରି ପରିସ୍ଥିତି ଯୋଗୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ଓ ବିଧାୟକ ଦଳ ନେତା ପରେଶ ଧନାନୀ ଇସ୍ତଫା ଦେଇଥିବା ସୂଚନା ମିଳିଛି।
ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ଏଭିଏମରେ ତ୍ରୁଟି ଦର୍ଶାଇଥିବା ବେଳେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ପରେଶ ଧନାନୀ ମଧ୍ୟ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷାକୁ ପଠାଇଥିବା ଜଣାପଡିଛି।
ମଙ୍ଗଳବାର ପ୍ରକାଶ ପାଇଛି ଗୁଜରାଟ ନଗରପାଳିକା, ଜିଲ୍ଲା ପଞ୍ଚାୟତ ଓ ତାଲୁକ୍ ପଞ୍ଚାୟତ ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା ପଞ୍ଚାୟତରେ କଂଗ୍ରେସ ପରାଜୟ ବରଣ କରିଛି। ୨୦୧୫ ନିର୍ବାଚନରେ ମୋଟ ୩୧ ଆସନରୁ ୨୨ଟି ସିଟ୍ରେ ବିଜୟ ଲାଭ କରିଥିବା କଂଗ୍ରେସ ଚଳିତ ଥର ଖାତା ଖୋଲିବାକୁ ସକ୍ଷମ ହୋଇପାରିନାହିଁ। ସୂଚନାଯୋଗ୍ୟ ଗୁଜରାଟର ୮୧ ନଗରପାଳିକା, ୩୧ ଜିଲ୍ଲା ପଞ୍ଚାୟତ ଓ ୨୩୧ଟି ତାଲୁକ୍ ପଞ୍ଚାୟତ ପାଇଁ ଗତ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।