ହାଇଦର ଫେରାର ପଛରେ ଷଡଯନ୍ତ୍ର !

ଭୁବନେଶ୍ଵର : ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ବଡ ଡାକ୍ତରଖାନାରୁ ଗାଙ୍ଗଷ୍ଟର ହାଇଦର ଚମ୍ପଟ ମାରିଛି। ତାଙ୍କୁ ଧରିବା ପାଇଁ ପୋଲିସ ନାକେଦମ୍ ହୋଇସାରିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ପତ୍ତା ମିଳିନି। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଏପରି ଫେରାର ହୋଇଯିବା ଘଟଣାକୁ ସହଜରେ ଗ୍ରହଣ କରାଯାଇପାରୁନି। ଏହା ପଛରେ କିଛି ଷଡଯନ୍ତ୍ର ରହିଥିବା ସଂଦେହ କରାଯାଉଛି।

ଖବର ଅନ୍ୟଯାୟୀ ହାଇଦର ଗୋଡରେ ସମସ୍ୟା ଦେଖାଦେବାରୁ ସମ୍ବଲପୁର ମଣ୍ଡଳ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ଡିସେମ୍ବର ୧୫ ତାରିଖରେ ବୁର୍ଲା ମେଡିକାଲର ସର୍ଜରୀ ବିଭାଗ ଓପିଡିକୁ ନେଇଥିଲେ। ପ୍ଲାଷ୍ଟିକ ସର୍ଜରୀକୁ ଦେଖାଇବା ପାଇଁ ଡାକ୍ତର ଦେଇଥଲେ ପରାମର୍ଶ। ହେଲେ ବୁର୍ଲା ମେଡିକାଲରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ନଥିବାରୁ ମାର୍ଚ୍ଚ ୨୩ ତାରିଖରେ ୬ ଜଣ ସୁରକ୍ଷା କର୍ମୀଙ୍କ ହେପାଜତରେ ହାଇଦରକୁ କଟକ ପଠାଯାଇଥିଲା। କିନ୍ତୁ ବୁର୍ଲା ମେଡିକାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ଲାଲମୋହନ ନାୟକଙ୍କ କହିଛନ୍ତି ହାଇଦର ମାର୍ଚ୍ଚ ମାସରେ ବୁର୍ଲା ମେଡିକାଲ ଆସିନାହିଁ। ନ୍ୟୁରୋଲଜି, ମେଡିସିନ୍ ଓ ସର୍ଜରୀ ବିଭାଗ ରେଜିଷ୍ଟରରେ ତା’ର ନାଁ ନାହିଁ। ଏବେ ପ୍ରଶ୍ନ ଉଠୁଛି ବୁର୍ଲା ମେଡିକାଲ ରେଫର କରିନଥିବା ବେଳେ ହାଇଦର ଚିକିତ୍ସା ପାଇଁ କଟକ ଆସିଲେ କିପରି।

କେବଳ ସେତିକି ନୁହେଁ ବୁର୍ଲା ମେଡିକାଲରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ନାହିଁ। ହେଲେ ତାଙ୍କୁ କଟକ ବଡ ମେଡିକାଲର ସର୍ଜରୀ ବିଭାଗରେ କାହିଁକି ଆଡମିଶନ୍ କରଯାଇଥିଲା ତାହା ଆଶ୍ଚର୍ଯ୍ୟର କଥା। ଫେରାର ପୂର୍ବରୁ ହାଇଦର ସର୍ଜରୀ ବିଭାଗରେ ୧୮ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ଲାଷ୍ଟିକ୍ ସର୍ଜରୀ ଆବଶ୍ୟକ ଥିବା ରୋଗୀକୁ ସର୍ଜରୀ ବିଭାଗରେ ଏତେଦିନ କେଉଁ ଚିକିତ୍ସା କରାଯାଉଥିଲା ? ଜଣେ ଗ୍ୟାଙ୍ଗଷ୍ଟରର ଚିକିତ୍ସା ବେଳେ ପୋଲିସ ଯେତିକି ସତର୍କ ରହିବା କଥା ବୋଧହୁଏ ସେଥିପ୍ରତି ଗୁରୁତ୍ଵ ଦିଆଯାଇନି।

ଏସବୁ ଲକ୍ଷ୍ୟ କଲେ ସ୍ପଷ୍ଟ ହେଉଛି ହାଇଦର ଫେରାର ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ସମ୍ବଲପୁରରୁ କଟକ ଯାଏ କେତେଜଣଙ୍କର ଏଥିରେ ସମ୍ପୃକ୍ତି ରହିଛି ତାହା ତଦନ୍ତ ହେଲେ ଲୋକଲୋଚନକୁ ଆସିବ। ଏହାଛଡା ପୋଲିସର ପାରିଲା ପଣିଆକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଲାଣି। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗତକାଲିଠାରୁ ଫେରାର ହୋଇଥିଲେ ହେଁ ପୋଲିସ ତାଙ୍କୁ ଧରିବାକୁ ସକ୍ଷମ ହୋଇପାରି ନାହିଁ। ଏବେ ଲୋକେ କହୁଛନ୍ତି ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଏହିପରି ଚାଲୁଛି। ପୋଲିସ ଜନତାଙ୍କୁ କେତେ ସୁରକ୍ଷା ଦେଇପାରିବ ଏହି ଘଟଣାରୁ ଅନୁମାନ କରାଯାଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button