ହାଇଦରକୁ ଫେରାର କରାଇବାରେ ପରିବାର ସାହାଯ୍ୟ କରିଛନ୍ତି : ଏତଲା ଦେଲେ ନିଲମ୍ବିତ କନଷ୍ଟେବଲ

ଭୁବନେଶ୍ଵର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଇବାରେ ଭାଇ, ଶଳା ଓ ପୁଅର ସଂପୃକ୍ତି ରହିଛି। ଏମାନେ ସମସ୍ତେ ସାହାଯ୍ୟ କରିଛନ୍ତି। ସୁରକ୍ଷା ଦାୟିତ୍ଵରେ ଥିବା ନିଲମ୍ବିତ କନଷ୍ଟେବଲ ମହମ୍ମଦ ମୌସିମ ଆଜି ଏହା କହିଥିବା ବେଳେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ଯବନପଡିଛି।

ମହମ୍ମଦ ମୌସିମ ଏତଲା​ରେ ଦର୍ଶାଇଛନ୍ତି ଗ୍ୟାଙ୍ଗଷ୍ଟର ହାଇଦର ଅସୁସ୍ଥ ଥିବାରୁ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଟିବା ପାଇଁ ହାଇଦରର ଶଳା, ଭାଇ ଓ ପୁଅ ହସ୍ପିଟାଲକୁ ଆସୁଥିଲେ। ଗତ ୧୦ ତାରିଖ ଦିନ ସେମାନେ ଖାଦ୍ୟରେ ନିଶା ଦେଇ ହାଇଦରକୁ ଖସାଇନେବାରେ ସଫଳ ହୋଇଥିଲେ। ହାଇଦର ଫେରାର ହେବା ପଛରେ ପରିବାର ଲୋକଙ୍କ ହାତ ରହିଛି। ତେଣୁ ପରିବାର ଲୋକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ହାଇଦରର ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ ଆଜି କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି। ସେ ଏସସିବିରେ ହାଇଦରକୁ ଭେଟିବା ସହ ବିରିୟାନୀ ଖାଇବାକୁ ଦେଇଥିଲେ। ହେଲେ ସେ ପୋଲିସକୁ କହିଛନ୍ତି ହାଇଦର ଫେରାର ବାବଦରେ କିଛି ଜାଣିନାହାନ୍ତି। ଏବେ ହାଇଦରକୁ ଧରିବା ପାଇଁ ରାଜ୍ୟ ପୋଲିସ ଚାରିଆଡେ ଛାନଭିନ୍ କରୁଛି। ସମସ୍ତ ଜିଲ୍ଲାର ସୀମାକୁ ସିଲ କରି ତନଖି କରାଯାଇଛି। କିନ୍ତୁ ହାଇଦରର ପତ୍ତା ଏଯାଏ ମିଳନି। ଏହାଛଡା ସମ୍ବଲପୁର ଜେଲ ଅଧିକ୍ଷକ ଆଜି
ଗଣମାଧ୍ୟମକୁ କହିଛନ୍ତି ହାଇଦରକୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ମେଡିକାଲ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button