ହଜ୍‌ଯାତ୍ରୀଙ୍କ ପାଇଁ ସାଉଦି ଆରବ ବାଧ୍ୟତାମୂଳକ କଲା କୋଭିଡ୍‌ ଟିକା

ରିୟାଦ୍‌ : ଚଳିତବର୍ଷ ହଜ୍‌ଯାତ୍ରୀଙ୍କ ପାଇଁ କୋଭିଡ୍‌ ଟିକା ବାଧ୍ୟତାମୂଳକ। ଏନେଇ ସାଉଦି ଆରବ ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଦେଶନାମା ଜାରି କରିଛି। ଏଥିରେ କୁହାଯାଇଛି କେବଳ କୋଭିଡ୍‌-୧୯ ଟିକା ନେଇଥିବା ଯାତ୍ରୀଙ୍କୁ ହିଁ ଏ ବର୍ଷ ହଜ୍‌ରେ ଯୋଗ ଦେବାକୁ ଅନୁମତି ମିଳିବ।

ସାଉଦି ଆରବର ସମ୍ବାଦପତ୍ର ‘ଓକାଜ୍‌’ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଦେଶନାମାରେ କୁହାଯାଇଛି ହଜ୍‌ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍‌-୧୯ ଟିକା ବାଧ୍ୟତାମୂଳକ ଅଟେ। ହଜ୍‌ ପାଇଁ ଅନୁମତି ପତ୍ର ପାଇବା ସକାଶେ ଏହା ମୁଖ୍ୟ ସର୍ତ୍ତାବଳୀରୁ ଗୋଟିଏ ସର୍ତ୍ତ ଭାବେ ରହିବ। ଏ ସଂକ୍ରାନ୍ତରେ ପ୍ରକାଶିତ ଏକ ସର୍କ୍ୟୁଲାର୍‌ରେ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି।

ହଜ୍‌ ନିମନ୍ତେ ସମଗ୍ର ବିଶ୍ୱରୁ ଆସିଥିବା ନିୟୁତ ନିୟୁତ ଯାତ୍ରୀଙ୍କ ସମାଗମ ହେଉଥିବାରୁ ମକ୍କା ଓ ମଦିନା କରୋନାଭାଇରସ୍‌ ସଂକ୍ରମଣର ଏକ ପ୍ରମୁଖ ସ୍ଥଳୀ ହୋଇପାରେ। ଅତୀତରେ ମଧ୍ୟ ସ୍ୱାଶପ୍ରଶ୍ୱାସ ଓ ଅନ୍ୟାନ୍ୟ ରୋଗ ଥିବା ହଜ୍‌ ଯାତ୍ରୀଙ୍କୁ ସାଉଦି ଆରବ ଫେରାଇ ଦେଇଛି। ସେହି ସର୍କ୍ୟୁଲାର୍‌ରୁ ଉଦ୍ଧୃତି କରି ‘ଅଲ୍‌ ଜଜୀରା’ ଖବରକାଗଜ ରିପୋର୍ଟ କରିଛି ସାଉଦୀ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ତଫିକ୍‌ ଅଲ୍‌-ରବିୟା କହିଛନ୍ତି ମକ୍କା ଓ ମଦିନାରେ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ନିମନ୍ତେ ଆବଶ୍ୟକ ଲୋକବଳ ନିମନ୍ତେ ସରକାର ପ୍ରସ୍ତୁତ ରହିବା ଉଚିତ।

Leave a Reply

Your email address will not be published. Required fields are marked *

Back to top button