ହାଟଡ଼ିହି : ପାଣି ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଲେ

ହାଟଡ଼ିହି : ବର୍ଷା ସରିଛି। ଆରମ୍ଭ ହୋଇଛି ଶୀତ ଋତୁ। କିନ୍ତୁ ଏବେଠାରୁ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅଞ୍ଚଳରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଏହାର ସମାଧାନ ନହେବାରୁ ଢେଙ୍କା ପଞ୍ଚାୟତର ଝଣଝଣା ଗ୍ରାମବାସୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। କରିଛନ୍ତି ରାସ୍ତାରୋକ। ସେମାନେ ଛେନାପଦି-ହଦଗଡ଼ ରାସ୍ତାକୁ ଢେଙ୍କା ଛକ ନିକଟରେ ଅବରୋଧ କରିବାରୁ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବା ଦେଖାଯାଇଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଝଣଝଣା ଗ୍ରାମରେ ୮୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ହେଲେ ୫ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ। ତିନୋଟି ନଳକୂପ ରହିଛି। ସେଥିରୁ ଦୁଇଟି ଅଚଳ। ଗୋଟିଏ ନଳକୂପରୁ ପୋକ ବାହାରୁଛି। ପାଣି ପିଇବା ପାଇଁ ଅନୁପଯୁକ୍ତ। କିନ୍ତୁ ଲୋକେ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି।

  ଭୁବନେଶ୍ୱର : ହାଇସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ

ସେହିପରି ଗ୍ରାମରେ ଗୋଟିଏ କୂଅ ରହିଛି। ତାହାର ଉଦ୍ଧାର ହୋଇନାହିଁ। ଏବେ ଅପରିଷ୍କାର। ତାହାଛଡା ୪୦ଫୁଟ ତଳେ ପାଣି ଥିବାରୁ ବାହାର କରିବା ସମ୍ଭବ ହେଉନି। ସରପଞ୍ଚଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଛନ୍ତି। ଜଳଯୋଗାଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ମତାମତ ଦିଅନ୍ତୁ ।