ମଧୂମେହ ରୋଗୀଙ୍କ ପାଇଁ ଘାତକ କରୋନା

ୱାସିଂଟନ: ଆପଣ ମଧୂମେହ ରୋଗୀ କି? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏହି ରୋଗୀମାନେ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ।
ଉହାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରେନମିନ୍ ହସ୍ପିଟାଲ୍ ପକ୍ଷରୁ ଏନେଇ ଏକ ଅନୁଧ୍ୟାନ କରାଯାଇଥିଲା । ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ ଟାଇପ୍‌-୨ ମଧୂମେହ ରୋଗୀ ସବୁଠାରୁ ଅଧିକ କରୋନା ସଂକ୍ରମିତ ହେଉଛନ୍ତି । କେବଳ ସେତିକି ନୁହେଁ, ଏମାନଙ୍କ ଜୀବନ ପ୍ରତି ମଧ୍ୟ ଅଧିକ ବିପଦ ସୃଷ୍ଟି ହେଉଛି । ଅର୍ଥାତ୍ ଆରୋଗ୍ୟ ସମ୍ଭାବନା କମ୍ ରହୁଛି ।
ଅନୁଷ୍ଠାନର ଡାକ୍ତର ହୋଙ୍ଗଲିଆନ୍ ଲି କହିଛନ୍ତି, ମଧୂମେହ ରୋଗୀମାନଙ୍କୁ ଏହି ଭୂତାଣୁ ଅତି ଶୀଘ୍ର ସଂକ୍ରମଣ କରୁଛି । ସେମାନଙ୍କ ପାଚନ କ୍ରିୟା କରୋନା ନଷ୍ଟ କରି ଦେଉଛି । ତେଣୁ ଏହି ସମୟରେ ସେମାନେ ଯଥା ସମ୍ଭବ ଶରୀରର ରକ୍ତ ସର୍କରା ନିୟନ୍ତ୍ରଣ କରିବା ଜରୁରି । ବିଶେଷକରି ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହାସହିତ କିଛି ସମୟ ଯୋଗ ଓ ପ୍ରାଣାୟମ୍ କରିବାକୁ ପରାମର୍ଶ ଦେଇଛନ୍ତି ।
ଡାକ୍ତର ଲି କହିଛନ୍ତି, ଏବେ ସାରା ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ମଧୂମେହ ରୋଗରେ ଆକ୍ରାନ୍ତ । ବର୍ତମାନ କରୋନା ସଂକ୍ରମଣ ସମୟରେ ଏମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରି । ଯଥା ସମ୍ଭବ ସାମାଜିକ ଦୂରତା ରକ୍ଷା କରିବା ସହିତ ଘର ଭିତରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ମଧୂମେହ ରୋଗୀଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମ୍ ରହୁଥିବାରୁ ଏହି ରୋଗୀ କରୋନାରେ ଆକ୍ରାନ୍ତ ହେଲେ ଆରୋଗ୍ୟ ହେବାର ସମ୍ଭାବନା କମ୍ ରହୁଛି ।

ମତାମତ ଦିଅନ୍ତୁ ।