ଖାଲି ପେଟରେ ପିଅନ୍ତୁ ଲେମ୍ବୁ ପାଣି ଓ ଗୁଡ; କମିବ ଓଜନ

ଲକ୍‌ଡାଉନ୍ ସମୟରେ ଅନେକ ଲୋକଙ୍କ ପାଇଁ ଓଜନ ବୃଦ୍ଧି ଏକ ସମସ୍ୟା ପାଲଟିଛି । ଘରେ ବସି ୱାର୍କ ଫ୍ରମ୍ ହୋମ କରିବା ସହ ଜିମ୍ ଓ ପାର୍କ ବନ୍ଦ ହେବାରୁ ଲୋକମାନଙ୍କ ପେଟ ବଢ଼ିଯାଉଛି । ଫିଟ୍ ଓ ହେଲଦି ଶରୀର ପାଇବାକୁ ହେଲେ ଶାରୀରିକ ବ୍ୟାୟାମ ସହ ଭଲ ଖାଦ୍ୟ ମଧ୍ୟ ଆବଶ୍ୟକ । ଓଜନ କମାଇବା ପାଇଁ ଶରୀରକୁ ହାଇଡ୍ରେଟ୍ କରିବା ମଧ୍ୟ ଜରୁରୀ । ଯଦି ଆପଣ ନିଜର ଖାଦ୍ୟ ଓ ପାନୀୟରେ ପରିବର୍ତନ କରନ୍ତି ତାହାଲେ ଆପଣଙ୍କର ପାଚନକ୍ରିୟାରେ ପରିବର୍ତନ ହେବା ସହ ପେଟର ଚର୍ବି ମଧ୍ୟ କମିଯିବ । ଏହା ଦ୍ୱାରା ଓଜନ କମ୍ ହେବା ସହ ଶରୀର ପତଳା ଦେଖାଯାଇଥାଏ । ଓଜନ କମାଇବା ପାଇଁ ଗୁଡ଼ ଓ ଲେମ୍ବୁ ପାଣି ଏକ ଭଲ ପାନୀୟ । ପ୍ରତିଦିନ ଏହାକୁ ସେବନ କଲେ ଶରୀରରୁ ଫ୍ୟାଟ୍ କମ୍ ହୋଇଥାଏ ଓ ମୋଟାପଣୁ ମୁକ୍ତି ମିଳିଥାଏ ।
ଗୁଡ଼ରୁ ମିଳୁଥିବା ଲାଭ
ଚିନି ତୁଳନାରେ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଏଥିରେ କମ୍ ମାତ୍ରାରେ କ୍ୟଲୋରୀ ରହିଥାଏ । ଗୁଡ଼ ଆଂଟି ଅକ୍ସିଡେଂଟ, ଜିଙ୍କ ଓ ସେଲେନିୟମରେ ଭରପୁର ହୋଇଥାଏ ଯାହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଗୁଡ଼ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଦେବା ସହ ପାଚନକ୍ରିୟାକୁ ମଜବୁତ କରିଥାଏ । ଖାଇବାର ଠିକ୍ ପରେ ଗୁଡ଼ର ଏକ ଛୋଟ ଖଣ୍ଡ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଯାଇଥାଏ । ଏହା ଛଡ଼ା ଗୁଡ଼ ଶ୍ୱାସ ନଳୀ ଓ ପାଚନତନ୍ତ୍ରକୁ ସଫା କରିଥାଏ ।


ଲେମ୍ବରୁ ମିଳୁଥିବା ଲାଭ
ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ମାତ୍ରରେ ଭରପୁର ହୋଇ ରହିଛି । ଲେମ୍ବୁ ରସ ଶରୀରକୁ ହାଇଡ୍ରେଟ୍ ରଖିବା ସହ ପାଚନକ୍ରିୟାକୁ ବଢ଼ାଇଥାଏ । ଏକ ରିସର୍ଚ୍ଚ ଅନୁସାରେ ଲେମ୍ବୁରେ ମିଳୁଥିବା ପଲିଫିନୋଲ ଆଂଟିଅକ୍ସିଡେଂଟ ଓଜନକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ପଲିଫିନୋଲ ଏଲ୍‌ଡିଏଲ କୋଲେଷ୍ଟ୍ରଲ୍‌କୁ କମ୍ କରି ଏଚ୍‌ଡିଏଲ୍ କୋଲେଷ୍ଟ୍ରଲ୍‌ର ସ୍ତର ବଢ଼ାଇଥାଏ । ଏହା ଛଡ଼ା ଲେମ୍ବୁରେ ଥିବା ଆଂଟିଅକ୍ସିଡେଂଟ ଫ୍ରି ରେଡିକଲସ୍ ଦ୍ୱାରା କୋଷିକାଗୁଡ଼ିକୁ ନଷ୍ଟହେବାରୁ ବଂଚାଇଥାଏ ।
କେମିତି କରିବେ ଗୁଡ଼, ଲେମ୍ବୁ ପାଣି ସେବନ
ଲେମ୍ବୁ ଓ ଗୁଡ଼ ପୋଷକ ତତ୍ୱରେ ଭରପୁର । ବହୁତ ପୂର୍ବରୁ ଓଜନ କମାଇବା ପାଇଁ ଏହାର ବ୍ୟବହାର କରାଯାଇଆସୁଛି । କିନ୍ତୁ ଲେମ୍ବୁ ଓ ଗୁଡ଼ ଏକାସାଙ୍ଗରେ ସେବନ କରିବା ଦ୍ୱାର ଅଧିକ ଫାଇଦା ମିଳିଥାଏ । ଏଥିପାଇଁ ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ଲେମ୍ବୁ ରସ ଓ ଏକ ଛୋଟ ଗୁଡ଼ର ଖଣ୍ଡ ମିଶାନ୍ତୁ । ପାଣିରେ ଗୁଡ଼ ପୁରା ପୁରି ମିଶିଗଲା ପରେ ଏହାକୁ ପିଅନ୍ତୁ । ଓଜନ କମାଇବା ପାଇଁ ଏହା ସବୁଠାରୁ ସସ୍ତା ଓ ବଢ଼ିଆ ବିକଳ୍ପ ଅଟେ । ପେଟ, ଫ୍ୟାଟ୍ ଓ ଓଜନ କମାଇବା ପାଇଁ ପ୍ରତିଦିନ ଖାଲି ପେଟରେ ଏକ ଗ୍ଲାସ ଗୁଡ଼ ଓ ଲେମ୍ବୁ ପାଣି ସେବନ କରନ୍ତୁ ଲାଭ ମିଳିବ । ଏହାର ସ୍ୱାଦ ବଢ଼ାଇବା ପାଇଁ ପୁଦିନା ପତ୍ର ମଧ୍ୟ ମିଶାଇ ପାରିବେ । ପାଣି ଅଧିକ ମିଠା ନ ହେବା ପାଇଁ ଏଥିରେ କମ୍ ମାତ୍ରାରେ ଗୁଡ଼ ମିଶାନ୍ତୁ । ଏହି ଅଭ୍ୟାସ କମ୍ ସେ କମ୍ ୩ମାସ ଧରି କରନ୍ତୁ ଦେଖିବେ ନିଶ୍ଚିତ ଲାଭ ମିଳିବ ।

ମତାମତ ଦିଅନ୍ତୁ ।