ହୋଲି ପର୍ବ ପାଳନ ହେଉନଥିବା ଗାଁ

ଭାରତରେ ରଙ୍ଗର ପର୍ବ ହୋଲି ପ୍ରାୟ ସବୁ ଆଡେ ପାଳନ କରାଯାଏ। ଏଥିପାଇଁ ଲୋକଙ୍କ ମନରେ ରହିଥାଏ ଉତ୍ସାହ। କିନ୍ତୁ କେତେକ ସ୍ଥାନ ରହିଛି ଯେଉଁଠାରେ ହୋଲିପର୍ବ ପାଳିବା ମନା। ଏହା ପଛରେ କାରଣ ମଧ୍ୟ ରହିଛି। ଯାହାକୁ ଆଜିଯାଏ ସେଠାକାର ଲୋକେ ମାନି ଆସିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁଠି ପାଳନ ହୁଏନି ହୋଲିପର୍ବ।

ଝାଡଖଣ୍ଡର ଦୁର୍ଗାପୁର ଗାଁ। ବୋକାରୋ ନିକଟ କସମାର ବ୍ଲକରେ ଏହି ଗାଁ ରହିଛି। ସେଠାକାର ଲୋକେ କହନ୍ତି ସେମାନେ ପ୍ରାୟ ୧୦୦ ବର୍ଷ ହେବ ହୋଲି ପର୍ବ ପାଳନ କରିନାହାଁନ୍ତି। ଗରମବାସୀଙ୍କର ବିଶ୍ୱାସ ରହିଛି ହୋଲି ଖେଳିଲେ ଗାଁରେ ମହାମାରୀ ବ୍ୟାପିଯିବ। ପ୍ରକୃତ କଥା ହେଲା ଅନେକ ବର୍ଷ ତଳେ ଏହି ଗାଁ’ର ରାଜା ପୁଅଙ୍କର ହୋଲି ଦିନ ମୃତ୍ୟୁ ହୋଇଥିଲା। ତେଣୁ ସେହି ଦିନଠାରୁ ରାଜା ଗ୍ରାମବାସୀଙ୍କୁ ହୋଲି ଖେଳିବାକୁ ବାରଣ କରିଥିଲେ। ଯାହାକୁ ଲୋକେ ଆଜିଯାଏ ମାନି ଆସୁଛନ୍ତି।

ସେହିପରି ମଧ୍ୟପ୍ରଦେଶର ଡହୁଆ ଗ୍ରାମ। ବୈତୁଲ ଜିଲ୍ଲାର ତହସିଲରେ ଅଧୀନରେ ରହିଛି ଏହି ଗ୍ରାମ। ପ୍ରାୟ ୧୨୫ ବର୍ଷ ହେବ ଏହି ଗାଁରେ ହୋଲି ପାଳନ କରାଯାଇ ନାହିଁ। ଲୋକେ କୁହନ୍ତି ହୋଲି ଦିନ ଗାଁର ମୁଖିଆଙ୍କର ବାମ୍ଫିରେ ବୁଡି ମୃତ୍ୟୁ ହୋଇଥିଲା। ଯାହାଫଳରେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଆଉ ହୋଲି ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବପୁରୁଷମାନେ ନେଇଥିବା ନିଷ୍ପତ୍ତିକୁ ଗ୍ରାମର ଲୋକମାନେ ଏବେ ମଧ୍ୟ ସମ୍ମାନ ଜଣାଇ ହୋଲି ଖେଳୁନାହାନ୍ତି।

ହରିୟାଣାର କୈଥଲର ଗୁହାଲା ଚିକା ଗାଁ। ଏହି ଗାଁର ଲୋକେ ଦେଢଶହ ହେଲା ହୋଲି ପର୍ବ ପାଳନ କରିନାହାନ୍ତି। ସେଠାକାର ଲୋକକଥା ହେଲା ଜଣେ ବାମନ ବାବା ରହୁଥିଲେ। ତାଙ୍କର ଉଚ୍ଚତା କାରଣରୁ ଲୋକମାନେ ତାଙ୍କୁ ପରିହାସ କରିଥିଲେ। ସେହିଦିନ ଥିଲା ହୋଲିପର୍ବ। ବାବା ହୋଲି ଦହନର ନିଆଁକୁ ଡେଇଁପଡି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ହୋଲି ପାଳନ ନକରିବାକୁ ଅଭିଶାପ ଦେଇଥିଲେ। କହିଥିଲେ ହୋଲି ପାଳନ କରୁଥିବା ପରିବାର ଧ୍ୱଂସ ହେବ। ସେଥିପାଇଁ ଏହି ଗାଁର ଲୋକଙ୍କ ଭୟ ଯୋଗୁଁ ହୋଲି ପାଳନ ହୁଏନାହିଁ। ଆହୁରି କୁହାଯାଏ ଲୋକମାନେ ବାବଙ୍କୁ କ୍ଷମା ମାଗିବାରୁ ଅଭିଶାପରୁ ମୁକ୍ତି ପାଇଁ ସେ ଏକ ଉପାୟ କହିଥିଲେ। ବାବା କହିଥିଲେ ଆଗାମୀ ଦିନରେ ହୋଲି ଦିନ ଯଦି କାହାର ପୁଅ ଜନ୍ମ ହୁଏ କିମ୍ବା ସେହିଦିନ କୌଣସି ଗାଈ ବାଛୁରୀ ଜନ୍ମ ଦିଏ ତେବେ ଗାଁ ଅଭିଶାପରୁ ମୁକ୍ତ ହେବ। କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ହୋଇନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button