ହୋମିଓପାଥି କଲେଜରେ ରାଗିଂ : ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କଲେ ଛାତ୍ର

ସମ୍ବଲପୁର : ପ୍ରଥମେ ଭୀମସା ଓ ପରେ ଭିସୁଟ ରାଗିଂ ଘଟଣା ପରେ ଏବେ ସେହି ତାଲିକାରେ ଯୋଡି ହୋଇଛି ହୋମିଓପାଥି କଲେଜ। ରାଗିଂ ନାଁରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଉପସ୍ଥିତିରେ ୪ଜଣ ଛାତ୍ରୀଙ୍କୁ ଉଲଗ୍ନ କରାଯାଇ ରାଗିଂ କରାଯାଇଥିବା ଅଭିଯୋଗ ଦିଲ୍ଲୀସ୍ଥିତ ଆଣ୍ଟି ରାଗିଂ ସେଲରେ ହେବାପରେ ଉଭୟ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।
ଖବର ଅନୁଯାୟୀ ୩୧ ତାରିଖ ସନ୍ଧ୍ୟା ୭ଟାରୁ ୯ଟା ଭିତରେ ମେଡିକାଲ କଲେଜର ବରିଷ୍ଠ ଛାତ୍ରମାନେ ଛାତ୍ରୀନିବାସ ପଶି ଦ୍ଵିତୀୟ ବର୍ଷର କିଛି ଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ। ପୋଷାକ ଖୋଲିବାକୁ ସେମାନେ ସଙ୍କୋଚ କରିବାକୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏହି ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ସ୍ଵୀକାର କରିଛନ୍ତି।
ଅନ୍ୟପକ୍ଷରେ ଛାତ୍ରୀ ନିବାସକୁ ଛାତ୍ର କେମିତି ପଶିଲେ ? ଏହାକୁ ନେଇ ହଷ୍ଟେଲ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି। ଯେଉଁ ଛାତ୍ରୀମାନେ ରାଗିଂ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ସେମାନେ ପୂର୍ବରୁ ମେସରେ ଖାଦ୍ୟ ପ୍ରସ୍ତୁତିରେ ଅବହେଲା ନେଇ ଅଭିଯୋଗ ଆଣିଥିଲେ। ଏପରିକି ୬୫ ଜଣ ଛାତ୍ରୀ ଲିଖିତ ଅଭିଯୋଗ କରିଥିଲେ। ଉଭୟ ଘଟଣାରେ କିଛି ଲିଙ୍କ ଥିବା ଅନୁମାନ କରାଯାଉଛି।