ହୋଟେଲରୁ ଟଙ୍କା ଜବତ : ହାବିଲଦାର ଓ କନେଷ୍ଟବଳ ନିଲମ୍ବିତ

ଭୁବନେଶ୍ଵର : ଓୟୋ ହୋଟେଲରୁ କୋଟିଏ ଟଙ୍କା ଜବତ ଘଟଣାରେ କମିଶନରେଟ୍ ପୋଲିସର ହାବିଲଦାର ଦିଲ୍ଲୀପ ମଲ୍ଲିକ ଓ କନେଷ୍ଟବଳ ସନ୍ଦୀପ୍ତ ପୃଷ୍ଟି ନିଲମ୍ବିତ। ଷଡ଼ଯନ୍ତ୍ର କରି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଭୁବନେଶ୍ଵର ଡିସିପି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଖବର ଅନୁଯାୟୀ ହାବିଲଦାର ଓ ଦୁଇ କନେଷ୍ଟବଳ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଲୁଟ୍‌ କରିବା ପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ସେହି ଅନୁସାରେ ଭୁବନେଶ୍ଵରର ଏକ ଓୟୋ ହୋଟେଲରେ ବେଟିଂ ଚାଲିଥିବା ସୂଚନା ଦେବାରୁ ପୋଲିସ ରେଡ୍‌ କରିଥିଲା। ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍‌ ଜବତ ହୋଇଥିଲା। କିନ୍ତୁ ପ୍ରକୃତ କଥା ହେଲେ କରଞ୍ଜିଆର ବ୍ୟବସାୟୀ କମଲ ଶାହାଙ୍କୁ କୋଟିଏ ଟଙ୍କାକୁ ଦେଢ଼ କୋଟି କରିଦେବାର ଲୋଭ ଦେଖାଇ ଭୁବନେଶ୍ଵବର ଡାକିଥିଲେ କରଞ୍ଜିଆର ଏକ ଏନଜିଓ ମାଲିକ ପ୍ରଶାନ୍ତ ପଣ୍ଡା। ତାଙ୍କ ସହିତ ସାମିଲ ଥିଲେ ୨ ପୋଲିସ କନେଷ୍ଟବଳ ଓ ଜଣେ ହାବିଲଦାର। ଲୋଭରେ କୋଟିଏ ଟଙ୍କା ନେଇ କମଲ ଶାହା ଭୁବନେଶ୍ଵର ଆସି ଓୟୋ ହୋଟେଲରେ ରହିଥିଲେ। ସେଠାରେ ବେଟିଂ ଚାଲିଛି କହି ମିଛ ରେଡ୍‌ କରି ଟଙ୍କା ହଡ଼ପ ପାଇଁ ଯୋଜନା ହୋଇଥିଲା। ହେଲେ କମିଶନରେଟ୍‌ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସତରେ ଚଢ଼ଉ କରିଥିଲା। ସେତେବେଳେ ଷଡ଼ଯନ୍ତ୍ରରେ ସାମିଲ ପୋଲିସ କର୍ମଚାରୀ ୭୭ ଲକ୍ଷ ଟଙ୍କା ନେଇ ଖସିଯାଇଥିଲେ।

ସିସିଟିଭି ଫୁଟେଜ୍‌ରୁ ସବୁ କଥା ପଦାକୁ ଆସିଥିଲା। ଏହାପରେ ସମ୍ପୃକ୍ତ ପୋଲିସ ହାବିଲଦାର ଦିଲ୍ଲୀପ ମଲ୍ଲିକ, କନେଷ୍ଟବଳ ସନ୍ଦୀପ ପୃଷ୍ଟି ଓ ପ୍ରଫୁଲ୍ଲ ଭୂୟାଁଙ୍କୁ ଧରିବା ପରେ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ ହୋଇଥିଲା। ସେହିଭଳି ପୁରୀର ପ୍ରଶାନ୍ତ ପାଢ଼ୀ, ଭୁବନେଶ୍ଵରର ଅବିନାଶ ମହେଶ୍ଵର ସାହୁ ଓ ପିଙ୍କୁକୁ ମଧ୍ୟ ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Back to top button