ହ୍ୱାଟସ୍ଆପ୍ ଗ୍ରୁପ୍ରେ ୯ ଲକ୍ଷରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରିବା ଦିଗରେ ନିଆଯାଇଛି ଅନେକ ପଦକ୍ଷେପ। ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ମନ୍ତ୍ରୀ ଡ. ଅରୁଣ ସାହୁ।
ମଙ୍ଗଳବାର ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଡ. ସାହୁ ସମୀକ୍ଷା କରିଥିଲେ। ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିଲେ। ଚାଷୀର ଆୟ ବହୁଗୁଣିତ କରିବା ଦିଗରେ କୃଷି ସହିତ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୋସିଆଲ୍ ମିଡିଆର ବହୁଳ ଉପଯୋଗ ନିମନ୍ତେ ଚାଷୀମାନଙ୍କର ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ।
ମନ୍ତ୍ରୀ ଡ. ସାହୁଙ୍କ ସୂଚନା ଅନୁଯାୟୀ ରାଜ୍ୟର ପ୍ରତି ପଞ୍ଚାୟତରେ ଚାଷୀମାନଙ୍କୁ ନେଇ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଚାଷୀମାନଙ୍କୁ ସିଧାସଳଖ ବିଭିନ୍ନ କୃଷି ସମ୍ବନ୍ଧୀୟ ବାର୍ତ୍ତା ଯୋଗାଇଦେବା ସହିତ ସେମାନଙ୍କର ସମସ୍ୟା ସଂପର୍କରେ ବିହିତ ପଦକ୍ଷେପ ନିଆଯାଉଛି। ଆଜି ସୁଦ୍ଧା ହ୍ୱାଟସ୍ଆପ୍ ଗ୍ରୁପ୍ରେ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ ହୋଇଛନ୍ତି। ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଟୋଲ୍ ଫି୍ର ହେଲପ୍ଲାଇନ୍ ‘ଆମ କୃଷି’ରେ ୮ ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇଛି। କୃଷି ବିଭାଗ ଟୁଇଟର ୨୭ ହଜାର ୨୦୦ ଜଣ ବ୍ୟବହାର କରିଥିବା ବେଳେ ଏମ୍-କିଷାନ୍ ପୋର୍ଟାଲ୍ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଅଧିକ ବାର୍ତ୍ତା ଚାଷୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। ଏବେ ଲକ୍ଷ୍ୟ ରଖାଯାଇଛି ପ୍ରତି ପଞ୍ଚାୟତ ସ୍ତରରେ ଅତି କମ୍ରେ ୨୦୦ ଜଣ କୃଷକଙ୍କୁ ହ୍ୱାଟସ୍ଆପ୍ ଗ୍ରୁପ୍ରେ ସାମିଲ କରାଯିବ।
ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ଓ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।