ଇଂରେଜମାନେ ଯାଇଛନ୍ତି, ମାନସିକତା ରହିଯାଇଛି

॥ ଗୋପାଳ ମହାପାତ୍ର ॥ ଭାରତ ବର୍ଷରେ ଦଙ୍ଗା ଫସାଦ ବା ସାମ୍ପ୍ରଦାୟିକ ଦଙ୍ଗା ହେଉନଥିଲା। ସମସ୍ତ ଭାରତୀୟ ହିନ୍ଦୁ ହୁଅନ୍ତୁ ବା ମୁସଲମାନ ଭାଇଭାଇ ଭଳି ଚଳୁଥିଲେ। ସବୁ କଥାକୁ ସମସ୍ତେ ସମାନ ନଜରରେ ଦେଖୁଥିଲେ। ସବୁ ଘଟଣାକୁ ସମାନ ଢଙ୍ଗରେ ଆପଣେଇ ନେଉଥିଲେ ଓ ସ୍ୱୀକାର କରୁଥିଲେ ମଧ୍ୟ। ହିନ୍ଦୁ-ମୁସଲିମ ଏକତା ଉଦାହରଣ ସୃଷ୍ଟି କରିଥିଲା। ଶତାବ୍ଦୀ ଶତାବ୍ଦୀ ଧରି ଏକଜୁଟ ରହିବା କାରଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ସୁସମ୍ପର୍କ ରହିଥିଲା। ଅତି ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ସାମାଜିକ ବାତାବରଣ ଉତ୍ତେଜକ ବା ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେବା ଭଳି ନଥିଲା। କହିବାକୁ ଗଲେ ଏବେ ଯେଭଳି ଦୁଇ ସଂପ୍ରଦାୟ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି ସେଭଳି ପରିସ୍ଥିତି ସେ ସମୟରେ ନଥିଲା। ଇଂରେଜମାନେ କିନ୍ତୁ ପରସ୍ପର ମଧ୍ୟରେ ତିକ୍ତତା ସୃଷ୍ଟି କରିବା ଏବଂ ବିଭାଜନକାରୀ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ଏ କଥା ମଧ୍ୟ ସତ୍ୟ ଯେ ‘ଗୋରା’ ବା ଇଂରେଜମାନଙ୍କର ହିନ୍ଦୁମାନଙ୍କ ଉପରେ ଅଧିକ ଭରସା ଥିଲା।
ଇଷ୍ଟ ଇଣ୍ଡିଆ କମ୍ପାନୀର ମୁଖ୍ୟ ବ୍ରିଟିଶ ପାର୍ଲିଆମେଣ୍ଟରେ ଯେଉଁ ଭାଷଣ ଦେଇଥିଲେ ସେଥିରେ ସେ ସ୍ପଷ୍ଟ ଭାବରେ କହିଥିଲେ “ଈଶ୍ୱର ଆମକୁ ହିନ୍ଦୁସ୍ଥାନ ଭଳି ବିଶାଳ ରାଜ୍ୟ ଏଇଥିପାଇଁ ପ୍ରଦାନ କରିଛନ୍ତି ଯେ ଆମେ ଦେଶର ଗୋଟିଏ ପଟରୁ ଅନ୍ୟପଟ ପର୍ଯ୍ୟନ୍ତ ଇଶା ମସୀହାଙ୍କ ବିଜୟ ଛତ୍ର ଉଡ଼ାଇ ପାରିବା।

ଏବେ ଆମ ସମସ୍ତଙ୍କର କାମ ହେଉଛି ସମ୍ପୂର୍ଣ୍ଣ ଭାରତବର୍ଷର ଲୋକଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ। ”ଇଷ୍ଟ ଇଣ୍ଡିଆ କମ୍ପାନୀର ମୁଖ୍ୟଙ୍କ ଏହି ଭାଷଣକୁ ସମର୍ଥନ କରି ରବର୍ଟ ମାଉଣ୍ଟ ଗୁମରି କହିଥିଲେ “ଆପଣଙ୍କ ବକ୍ତବ୍ୟକୁ ସମର୍ଥନ କରି ମୁଁ ଏତିକି କହିବାକୁ ଚାହେଁ ଯେ ଯେତେ ଅସୁବିଧା ଆସିଲେ ମଧ୍ୟ ଭାରତରେ ଆମର ସାମ୍ରାଜ୍ୟ କାଏମ ରହିବ। ସେ ପର୍ଯ୍ୟନ୍ତ ଆମେ ଭୁଲିଯିବା ଉଚିତ ନୁହେଁ ଆମର କାମ ହେଉଛି ସମ୍ପୂର୍ଣ୍ଣ ଭାରତକୁ ଖ୍ରୀଷ୍ଟିଆନରେ ପରିଣତ କରିବା। ଏହି ଭାବନାରେ ପ୍ରେରିତ ହୋଇ ୧୮୩୬ରେ ମାକଲେ ଗର୍ବୋକ୍ତି ପ୍ରକାଶ କରି କହିଥିଲେ ୩୦ ବର୍ଷ ଭିତରେ ଜଣେ ବି ମୂର୍ତ୍ତୀ ପୂଜକ ଭାରତରେ ରହିବେ ନାହିଁ। ଏହି ଦୃଷ୍ଟିକୋଣକୁ ନେଇ ତତ୍‌କାଳୀନ ରେଭରେଣ୍ଡ କେନେଡି କହିଥିଲେ “ଯେପର୍ଯ୍ୟନ୍ତ ଭାରତରେ ଆମ ସାମ୍ରାଜ୍ୟ ରହିଛି ସେ ପର୍ଯ୍ୟନ୍ତ ଖ୍ରୀଷ୍ଟଧର୍ମର ବିସ୍ତାର ପାଇଁ କାମ କରିବାକୁ ପଡ଼ିବ। ”ବ୍ରିଟିଶମାନଙ୍କ ଏହି ମାନସିକତାକୁ ଅଧିକ ଭାବରେ ପ୍ରୋତ୍ସାହିତ ତଥା କାର୍ଯ୍ୟକାରୀ କରିଥିଲେ ମିଶନାରୀମାନେ। ମିଶନାରୀମାନେ ଦେଶରେ ଏବେ ଖୋଲାଖୋଲି ଭାବରେ ଧର୍ମାନ୍ତରଣ କରି ଚାଲିଛନ୍ତି।

ଚିନ୍ତା କରିବାର କଥା। କେତେ ଦୂରଦର୍ଶୀ ଥିଲେ ସେମାନେ। ଲୋକଙ୍କୁ ବିଭାଜିତ କରି ଶାସନ ସୁଖ ଭୋଗ କରିବାରେ ଏମାନେ ଥିଲେ ଓସ୍ତାଦ। ବ୍ରିଟିଶ ଶାସକ ମାକଲେଙ୍କୁ ଦାୟିତ୍ୱ ଦେଇଥିଲେ ଭାରତବର୍ଷର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବା ପାଇଁ। ମାକଲେ ମଧ୍ୟ ଶିକ୍ଷା ପଦ୍ଧତିକୁ ଏମିତି ବଦଳେଇ ଦେଇଥିଲେ ଯେ ଗୌରବଶାଳୀ ଇତିହାସ ଓ ସଂସ୍କୃତି ଶିକ୍ଷା ପଦ୍ଧତିରୁ କିଛି ପରିମାଣରେ ଗାଏବ ହୋଇଯାଇଥିଲା। ଇଂରେଜମାନଙ୍କ ଉଦ୍ଦେଶ୍ୟ କିନ୍ତୁ ସମ୍ପର୍ଣ୍ଣ ଭାବେ ପୂରଣ ହୋଇପାରିନଥିଲା। କିନ୍ତୁ ମାକଲେ ଆମ ପୌରାଣିକ ଏବଂ ପରମ୍ପରାଗତ ଶିକ୍ଷାକୁ ଓଲଟା ଦିଗକୁ ନେଇଯାଇଥିଲେ। ଏଯାବତ୍ ଭାରତ ସରକାର ମଧ୍ୟ ଶିକ୍ଷା ପଦ୍ଧତିକୁ ପରିବର୍ତ୍ତନ କରିବାରେ ସମ୍ପୂର୍ଣ୍ଣ ଫଳପ୍ରଦ ପଦକ୍ଷେପ ନେଇପାରୁନାହାନ୍ତି। ଇଂରେଜମାନେ ଏକ ଭିନ୍ନ ନୀତିକୁ ଆପଣେଇଥିଲେ। ସେମାନେ ହିନ୍ଦୁମାନଙ୍କୁ ମୁସଲମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦେଉଥିଲେ। ପରିଣାମ ସ୍ୱରୂପ ଉଭୟ ସଂପ୍ରଦାୟ ମଧ୍ୟ ଦୂରତା ଓ ତିକ୍ତତା ବଢ଼ିଲା ଯାହା କାଳାନ୍ତରରେ ଉଭୟ ସଂପ୍ରଦାୟକୁ ପରସ୍ପରର ଶତ୍ରୁରେ ପରିଣତ କରିଦେଲା। ଇଂରେଜମାନେ ଯୋଜନାବଦ୍ଧ ଭାବରେ ସବୁ କାର୍ଯ୍ୟ କରୁଥିଲେ କିନ୍ତୁ ତାକୁ କାର୍ଯ୍ୟକାରୀ କରୁଥିଲେ ଭାରତବର୍ଷରେ ଥିବା ସେମାନଙ୍କର ଉଚ୍ଚ ଅଧିକାରୀମାନେ। ଇଂରେଜମାନଙ୍କର ଯୋଜନା କାର୍ଯ୍ୟ କରିଥିଲା ଓ ଭାରତରେ ହିନ୍ଦୁ-ମୁସଲିମ ବିଭେଦ ବଢ଼ିବାରେ ଲାଗିଲା। ଏହି ନୀତିକୁ ଆପଣେଇ ୩୮ କୋଟିର ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶକୁ ମାତ୍ର ଲକ୍ଷେ ବା ତା’ଠାରୁ କମ୍ ଇଂରେଜ ଶାସନ କରିବାରେ ଲାଗିଲା।

ଇଂରେଜମାନେ ଚାହୁଁଥିଲେ ଭାରତୀୟମାନଙ୍କୁ ପଙ୍ଗୁ କରି ଦିଆଗଲେ ସେମାନେ କେବେ ଶିକ୍ଷା, ଯୁଦ୍ଧକୌଶଳ ଓ ନୀତି-ନିର୍ମାଣ କ୍ଷେତ୍ରରେ ଆଗେଇ ପାରିବେ ନାହିଁ। ଇଂରେଜମାନେ ଭାରତବର୍ଷ ସମେତ ବିଶ୍ୱର ଅନେକ ଦେଶକୁ ଶହଶହ ବର୍ଷ ଧରି ଶାସନ କରିଥିଲେ ଓ ଲୁଟ୍ କରିଚାଲିଥିଲେ। ନେତାଜୀ ସୁବାସ ଚନ୍ଦ୍ର ବୋଷ ମଧ୍ୟ କହୁଥିଲେ ୩୮ କୋଟି ଲୋକଙ୍କୁ ମାତ୍ର ଲକ୍ଷେ ବିଦେଶୀ ଶାସନ କରିପାରୁଛନ୍ତି କେମିତି ? ଗାନ୍ଧୀ ଓ ନେତାଜୀଙ୍କ ଚିନ୍ତା ଓ କାର୍ଯ୍ୟଧାରା ଭିନ୍ନ ଥିଲା। ଗାନ୍ଧୀ ଓ ତାଙ୍କ ଅନୁଗାମୀମାନେ ଆଲୋଚନା ମାଧ୍ୟମରେ ଓ ଅହିଂସା ଆନ୍ଦୋଳନ କରି ଇଂରେଜଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଦେଶକୁ ସ୍ୱାଧୀନ କରିବା ପାଇଁ ଅନେକଙ୍କୁ ଶହୀଦ ହେବାକୁ ପଡ଼ିଛି, ସତ୍ୟାଗ୍ରହ ଆନ୍ଦୋଳନ ହୋଇଛି। ଏ ସବୁ ପରେ ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବା ପାଇଁ ରାଜି ହୋଇଥିଲେ। କିନ୍ତୁ ଦେଶକୁ ଦୁଇଭାଗ କରି ଦିଆଯାଇଥିଲା। ମୁସଲିମ ବହୁଳ ଅଞ୍ଚଳ ପାକିସ୍ଥାନରେ ପରିଣତ ହୋଇଗଲା। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବର୍ଷ ସ୍ୱାଧୀନ ହେଲା। ହେଲେ “ବିଭାଜନ କର-ରାଜକର” ଯେଉଁ ଯୋଜନା ଇଂରେଜମାନେ କରି ଦେଶକୁ ଶାସନ କରୁଥିଲେ ସେଇ ଯୋଜନା ଏବେ ବି ଏ ଦେଶରେ ରହିଯାଇଛି। ମାକଲେଙ୍କ ଶିକ୍ଷା ନୀତି ଏବେ ବି ଦେଶରେ ରହିଛି। ଆମ ସଭ୍ୟତା-ସଂସ୍କୃତିକୁ ବିକୃତ କରାଯାଇଛି। ଏ ସବୁକୁ ଠିକ୍ ରାସ୍ତାକୁ ଅଣାଯାଇପାରୁନାହିଁ। ସେହିପରି ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଲଢ଼େଇ କରି ଶସାନ ଗାଦି ଅକ୍ତିଆର କଥା ମଧ୍ୟ ଚାଲିଛି ଓ ନେତାମାନେ ଏଥିରେ ସଫଳ ହେଉଛନ୍ତି। ଦେଶବାସୀ ତିକ୍ତତା, ଅସହିଷ୍ଣୁତାର ଜାଲରୁ ମୁକୁଳି ପାରୁନାହାନ୍ତି। ଦୁର୍ଭାଗ୍ୟର କଥା ଯେ ଏଭଳି ଘଟଣାକ୍ରମକୁ ରାଜନୈତିକ ବ୍ୟକ୍ତିବିଶେଷମାନେ ବିରୋଧ କରିବା ପରିବର୍ତ୍ତେ ପ୍ରୋତ୍ସାହିତ କରି ଚାଲିଛନ୍ତି।

ଯେକୌଣସି ଦେଶର ଜନତାଙ୍କର ଭାଗ୍ୟ ବିଧାତା ହେଉଛନ୍ତି ସେ ଦେଶର ସରକାର। କିନ୍ତୁ ଦେଶର ସାମାଜିକ ଅବକ୍ଷୟକୁ ଦୂର କରିବା ପାଇଁ କୌଣସି ସରକାର ଉଦ୍ୟମ କରୁନାହାନ୍ତି। ଓଲଟା ଅନେକ ସମୟରେ ନିଆଁରେ ଘିଅ ଢାଳିବା ପରି କାର୍ଯ୍ୟ କରାଯାଉଛି। ସମସ୍ୟାର ଜଡ଼ ଖୋଜିବା ଓ ତା’ର ନିରାକରଣ ଦିଗରେ ପଦକ୍ଷେପ ନେବା ପରିବର୍ତ୍ତେ ସମସ୍ୟାକୁ ଅଧିକ କରାଯାଉଛି ଓ ସେଥିରୁ ନିର୍ବାଚନର ଲାଭକ୍ଷତିକୁ ହିସାବ କରାଯାଉଛି। ଲୋକଙ୍କୁ ନୂଆନୂଆ ସ୍ୱପ୍ନରେ ବିଭୋର କରାଯାଉଛି ଓ ଭୋଟବ୍ୟାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। କ’ଣ ଏ ଦେଶରେ ଶିବାଜୀଙ୍କ ଭଳି ବୀର ଗୁରୁ ଗୋବିନ୍ଦ ସିଂହଙ୍କ ଭଳି ମହାପୁରୁଷ ଜନ୍ମ ନେବେ ନାହିଁ ଯିଏ ଏଭଳି ଅତ୍ୟାଚାରୀ (ବ୍ରିଟିଶ ମାନସିକତାବାଦୀ)ମାନଙ୍କୁ ଦେଶରୁ ବାହାର କରିଦେଇପାରିବେ ?

ରାମଚନ୍ଦ୍ରପୁର, ରଣପୁର, ମୋ-୯୪୩୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button