ଇସଲାମିକ ଆଇନ ସଂଶୋଧନ : ବିବାହ ପୂର୍ବରୁ ପ୍ରେମୀଯୁଗଳ‌ ଲିଭ୍‌-ଇନରେ ରହିପାରିବେ

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଦେଶରେ ପ୍ରଚଳିତ ଇସଲାମିକ ଆଇନରେ ଆଣିଛନ୍ତି ବଡ଼ ସଂଶୋଧନ। ଏଣିକି ପ୍ରେମୀଯୁଗଳ ବିବାହ କରିବା ପୂର୍ବରୁ ଲିଭ୍‌-ଇନ୍‌ରେ ରହିପାରିବେ। ଏଥିସହ ମଦ୍ୟପାନକୁ ଅନୁମତି ମିଳିଥିବା ବେଳେ ଅନର କିଲିଙ୍ଗକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି।

ସଂଯୁକ୍ତ ଆରବ ଏମିରେଟ୍ସରେ ପୂର୍ବ ପ୍ରଚଳିତ ଆଇନରେ ମଦ୍ୟପାନ ଉପରେ ଥିଲା କଠୋର ନିୟମ। ମଦ ବିକିବା କିମ୍ବା ଘରେ ରଖିବାକୁ ଆବଶ୍ୟକ ହେଉଥିଲା ଲାଇସେନ୍। ଆଇନର ସଂଶୋଧନ ପରେ ୨୧ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମଦ ପିଇବା ସହିତ ରଖିବା ଓ ବିକ୍ରି କରିବାକୁ ମିଳିଛି ଅନୁମତି। ଏଥିପାଇଁ ମୁସଲିମଙ୍କ ଉପରେ ଯେଉଁ କଟକଣା ରହିଥିଲା ତାହାକୁ ହଟାଇ ଦିଆଯାଇଛି।

ସେହିପରି ୟୁଏଇରେ ଲିଭ୍‌-ଇନ୍‌ ସମ୍ପର୍କରେ ରହିବା ପାଇଁ କେବଳ ବିଦେଶୀଙ୍କୁ ଅନୁମତି ମିଳୁଥିଲା। ତଥାପି ରହିଥିଲା କିଛିଟା କଟକଣା। ଏବେ ସମସ୍ତଙ୍କ ପାଇଁ ନିୟମ କୋହଳ କରାଯାଇଛି। ଦେଶର ଅବିବାହିତମାନେ ବିବାହ ପୂର୍ବରୁ ଏକାଠି ରହିପାରିବେ। ଏହାକୁ ଆଉ ଅପରାଧ ବିବେଚନା କରାଯିବ ନାହିଁ। ପୂର୍ବରୁ ଦେଶରେ ଅନର କିଲିଙ୍ଗ ଭଳି ଅପରାଧ କଠୋର ଦଣ୍ଡର ବ୍ୟବସ୍ଥା ନଥିବାରୁ ଏହି ଅପରାଧ ବୃଦ୍ଧି ହେଲା। କେତେକ ହତ୍ୟା ଘଟଣାରେ ଅଭିଯୁକ୍ତମାନେ ଏହାକୁ ଅନର କିଲିଙ୍ଗ ଆଖ୍ୟା ଦେଇ ବଞ୍ଚିଯାଉଥିଲେ। କିନ୍ତୁ ଏବେ ଏହାକୁ ଅପରାଧ ବିବେଚନା କରାଯିବ ଓ ଦୋଷୀଙ୍କୁ ଦଣ୍ଡ ମିଳିବ। ଏହାଛଡା ଆମେରିକାର ମଧ୍ୟସ୍ଥତାରେ ଆଉ ଏକ ଘୋଷଣା କରାଯାଇଛି। ୟୁଏଇ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସୁଧାରିବା ଲାଗି ପ୍ରୟାସ କରାଯିବ। ଏହାଦ୍ୱାରା ୟୁଏଇକୁ ଇସ୍ରାଏଲୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହିତ ଦେଶରେ ନୂଆ ନିବେଶ ପାଇଁ ବାଟ ଫିଟିବ।

ମତାମତ ଦିଅନ୍ତୁ ।