ଇସ୍ପାତ ନିର୍ମାଣରେ ଆତ୍ମନିର୍ଭର ହେବାପାଇଁ ଶିଳ୍ପସଂସ୍ଥାକୁ କଞ୍ଚାମାଲର ଉପଲବ୍ଧତା ଗୁରୁତ୍ତ୍ୱପୂର୍ଣ : ନବୀନ ଜିନ୍ଦଲ

ଭୁବନେଶ୍ୱର : ଇସ୍ପାତ ନିର୍ମାଣରେ ଆତ୍ମନିର୍ଭର ହେବାକୁ କଞ୍ଚାମାଲର ନିରବଚ୍ଛିନ୍ନ ଉପଲବ୍ଧତା ଓ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଆୟୋଜିତ ଏକ ଇ-ସମ୍ମିଳନୀରେ ଏହା କହିଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ।

ଶ୍ରୀ ଜିନ୍ଦଲ କହିଲେ କଞ୍ଚାମାଲର ସହଜ ଉପଲବ୍ଧତା ଇସ୍ପାତ ପ୍ରକଳ୍ପର ପରିଚାଳନା ତଥା ସମ୍ପ୍ରସାରଣ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅଧିକ କୋଇଲା ଓ ଲୁହାପଥର ବ୍ଲକ ନିଲାମ ଉପରେ ଗୁରୁତ୍ୱାରୋପ କରିବା ସହିତ ସେ କହିଲେ ଏହା ଶିଳ୍ପସଂସ୍ଥା ଗୁଡିକର କ୍ଷମତା ବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଲୁହାପଥର ବ୍ଲକର ସଫଳତାର ସହ ନିଲାମ ପାଇଁ ଶ୍ରୀ ଜିନ୍ଦଲ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆହୁରି ଅଧିକ ଲୁହାପଥର ବ୍ଲକର ନିଲାମ ଲାଗି ନିବେଦନ କରିଥିଲେ। ଝାରଖଣ୍ଡ ଛତିଶଗଡ ଭଳି ଅନ୍ୟ ରାଜ୍ୟ ଏଥିରୁ ପ୍ରେରଣା ପାଇବା ଉଚିତ ବୋଲି ସେ କହିଥିଲେ। ଏହାଛଡା କମରସିଆଲ କୋଇଲା ଖନନ ପାଇଁ ସାହସିକ ପଦକ୍ଷେପ ନିମନ୍ତେ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେ କହିଲେ ଆସନ୍ତା ୩୦ ବର୍ଷ ପାଇଁ ଲୁହାପଥର ଓ କୋଇଲା ପରି କଞ୍ଚାମାଲର ଆବଶ୍ୟକତା ରହିବ। ଏହା ପରେ କଞ୍ଚାମାଲର ଅଧିକ ଚାହିଦା ରହିବ ନାହିଁ। କାରଣ ରିସାଇକ୍ଲିଂ ମାଧ୍ୟମରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇବ। ପରିବେଶ ପ୍ରଭାବ ଯୋଗୁଁ କୋଇଲାର ଆବଶ୍ୟକତା ଧୀରେ ଧୀରେ ହ୍ରାସ ପାଇବ। ପେଟ୍ରୋକେମିକାଲ୍ କ୍ଷେତ୍ର ପାଇଁ କୋଇଲା ହୋଇପାରିବ ପ୍ରମୁଖ କଞ୍ଚାମାଲ। ଜେଏସପିଏଲ ପୂର୍ବରୁ ଏକ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିସାରିଛି। ଯାହା ସ୍ୱଦେଶୀ ଅଧିକ ପାଉଁଶ ଥିବା କୋଇଲା ବ୍ୟବହାର କରି ସିନ୍ଥେସିସ୍ ଗ୍ୟାସ୍ ଉତ୍ପାଦନ କରୁଛି। କୋଇଲାରୁ ପେଟ୍ରୋଲିଅମ ଉତ୍ପାଦ ପ୍ରସ୍ତୁତି ନିମନ୍ତେ ଏହା ପ୍ରାଥମିକ ପର୍ଯ୍ୟାୟ। ଏହା ମାଧ୍ୟମରେ କୋଇଲାରୁ ବିଭିନ୍ନ ପେଟ୍ରୋଲିଅମ ଉତ୍ପାଦ ଉତ୍ପାଦନ କରାଯାଇ ପାରିବ।

ଏହି ଭର୍ଚୁଆଲ୍ ସମ୍ମିଳନୀକୁ ସମ୍ବୋଧିତ କରି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଶିଳ୍ପସଂସ୍ଥାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ।

ରାଜ୍ୟ ଗୃହ, ଶିଳ୍ପ, ଏମଏସଏମଇ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଲେ ବିଗତ ୨୦ ବର୍ଷ ମଧ୍ୟରେ ଓଡିଶା ପୁଞ୍ଜି ବିନିଯୋଗ ତଥା ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ସ୍ଥିର ପରିବେଶ ଓ ପଲିସୀ ଯୋଗାଇ ଦେଇଛି। ସମସ୍ତ ବଡ ଇସ୍ପାତ ଶିଳ୍ପଗୁଡିକୁ ଏକାଠି ହୋଇ ଓଡିଶାରେ ଏକ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ଆହ୍ୱାନ ଦେଇଥିଲେ।

ଶିଳ୍ପ ସଚିବ ହେମନ୍ତ ଶର୍ମା ଇସ୍ପାତ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡିଶାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏଥିରେ ଯୋଗ ଦେଇଥିବା ଅନ୍ୟ ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀମାନେ ହେଲେ ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ, ହଳଦିଆ ପେଟ୍ରୋକେମିକାଲ୍ସର ନିର୍ଦେଶକ ଶୁଭାଶେନ୍ଦୁ ଚାଟାର୍ଜୀ, ଆରଆଇଏନଏଲ ବିଶାଖାପାଟନମ୍ ଇସ୍ପାତ କାରଖାନା ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୋଷ କୁମାର ରଥ।

ମତାମତ ଦିଅନ୍ତୁ ।