ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ରାହୁଲଙ୍କର ପୁରୁଣା ଅଭ୍ୟାସ : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଜବାବ ଦେଇଛନ୍ତି। ଶନିବାର ଦିନ ନିର୍ମଳା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଓଲଟା ଜବାବ ଦେଇ କହିଛନ୍ତି ଯେ କଂଗ୍ରେସ ନେତା ମନଗଢା କାହାଣୀ କୁହନ୍ତି, ବେକାର ଆଲୋଚନା କରନ୍ତି, ଦେଶକୁ ଭାଙ୍ଗୁଥିବା ଲୋକଙ୍କ ସହ ଛିଡା ହୁଅନ୍ତି ଓ ସାମ୍ବିଧାନିକ ସଂସ୍ଥାର ଅପମାନ କରନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଅପମାନ କରୁଥିଲେ ଓ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଅପମାନ କରୁଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ବିଦେଶ ଗସ୍ତରେ ଯାଇଥିଲେ ସେତେବେଳେ ରାହୁଲ ଗାନ୍ଧୀ ତାଙ୍କ ତରଫରୁ ଅଣାଯାଇଥିବା ଅଧ୍ୟାଦେଶକୁ ଚିରି ଫୋପାଡ଼ି ଦେଇଥିଲେ। ଏହି ମାମଲା ୨୦୧୩ ମସିହାର। ସେ ରାହୁଲ ଗାନ୍ଧୀଙ୍କୁ ଡୁମ୍ସ ଡେ ମ୍ୟାନ କହିଛନ୍ତି। ସେତେବେଳେ ସୁପ୍ରିମକୋର୍ଟ ଦୋଷୀ ଜନପ୍ରତିନିଧିଙ୍କୁ ନିର୍ବାଚନ ଲଢ଼ିବା ବିରୋଧରେ ରାୟ ଶୁଣାଇଥିଲେ। ଏହି ରାୟକୁ ପ୍ରଭାବହୀନ କରିବାକୁ ୟୁପିଏ ସରକାର ଏକ ଅଧ୍ୟାଦେଶ ଜାରି କରିଥିଲା। ସେତେବେଳେ ୟୁପିଏ ଆଣିଥିବା ଏହି ଅଧ୍ୟାଦେଶକୁ ରାହୁଲ ଗାନ୍ଧୀ ନିରର୍ଥକ କହିଥିଲେ ଓ କହିଥିଲେ ଏହାକୁ ଚିରି ଫୋପାଡ଼ି ଦେବା ଉଚିତ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ବଜେଟ ଉପରେ ହେଉଥିବା ଚର୍ଚ୍ଚାରେ ସାମିଲ ହୋଇ କୃଷି ଆଇନକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ସେ ଆରୋପ ଲଗାଇଥିଲେ ଯେ ଏହା ‘ଆମେ ଦୁଇ ଆମର ଦୁଇ’ ସରକାର। ସେ ଦାବି କରିଥିଲେ ଯେ ନୂଆ କୃଷି ଆଇନ ଯୋଗୁଁ ମଣ୍ଡି ସମାପ୍ତ ହୋଇଯିବ ଓ କୃଷି କ୍ଷେତ୍ରକୁ ବଡ ବଡ ଉଦ୍ୟୋଗୀ ନିୟନ୍ତ୍ରଣ କରିବେ। ଏହାକୁ ନେଇ ନିର୍ମଳା ରାହୁଲଙ୍କୁ ଜବାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button