ଖାକି ବର୍ଦିରେ ଗଂଜେଇ ଗନ୍ଧ

ଭୁବନେଶ୍ଵର : ମାଲକାନଗିରି ଅବକାରୀ ବିଭାଗ ଗଂଜେଇ ଜବତ କରିବା ସହ କିପରି ପୁଲିସ ଗଂଜେଇ ବେପାରରେ ସାମିଲ ରହିଛି, ତାହାର ମଧ୍ୟ ପର୍ଦାଫାସ କରିଛି। ଖାକି ବର୍ଦିରେ ଗଂଜେଇ ଗନ୍ଧ ବାରି ପାରିଛି ଅବକାରୀ ବିଭାଗ। ଗଂଜେଇ ଚାଲାଣ କରୁଥିବା ଜଣେ ପୁଲିସ ବାବୁକୁ କାବୁ କରିଛି ଅବକାରୀ ବିଭାଗ।

ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଚିତ୍ରକୋଣ୍ଡା ଅଂଚଳରୁ ଏକ ପିକ୍ଅପ୍‌ ଭ୍ୟାନ୍‌ରେ ଗଂଜେଇ ଯାଉଛି। ତେବେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ବରେ କର୍ମଚାରୀମାନେ ତିନୋଟି ଦଳ ହୋଇ ବିଭିନ୍ନ ସ୍ଥାନରେ ଛକି ରହିଲେ। ବାଲିମେଳା-ମାଲକାନଗିରି ରାସ୍ତାରେ ଏକ ପିକ୍ଅପ୍‌ ଭ୍ୟାନ୍‌ କ୍ଷୀପ୍ର ଗତିରେ ଆସୁଥିବା ଅବକାରୀ ଅଧିକ୍ଷକ ଶ୍ରୀ ସେଠ ଦେଖିବାକୁ ପାଇଥିଲେ। ପିକ୍ଅପ୍‌ ଭ୍ୟାନ୍‌କୁ ଅଟକାଇବାରୁ ଏହା ଅବକାରୀ ଅଧିକ୍ଷକଙ୍କ ଗାଡିକୁ ଧକ୍କା ଦେଇ ମାଲକାନଗିରି ପଟେ ଯାଉଥିଲା।

ତେବେ କୋରକୋଣ୍ଡା ନିକଟରେ ପିକ୍ଅପ୍‌ ଭ୍ୟାନ୍‌କୁ ଅବକାରୀ କର୍ମଚାରୀମାନେ କାବୁ କରିପାରିଥିଲେ। ଭ୍ୟାନ୍କୁ‌ ଯାଞ୍ଚ କଲାବେଳେ ସେଥିରେ ପଣସ ଓ କଖାରୁ ଗଦା ହୋଇ ରହିଥିଲା। ସେହି ପଣସ ଓ କଖାରୁକୁ କାଢିବା ପରେ ସେଥିରେ ୩୧ଟି ଗଂଜେଇ ପ୍ୟାକେଟ ଭର୍ତ୍ତି ହୋଇ ରହିଥିଲା, ଯାହାକୁ ଓଜନ କରିବା ପରେ ଜଣାପଡିଥିଲା ଯେ ସେଥିରେ ୮ କ୍ବିଣ୍ଟାଲ ଗଂଜେଇ ଭର୍ତ୍ତି ହୋଇ ରହିଛି। ଗଂଜେଇ ଚାଲାଣ କରୁଥିଲେ ପୁଲିସ କନେଷ୍ଟବଳ ସଂଜୀବ ହିରା। ସଂଜୀବଙ୍କ ଘର ଏମଭି-୭ ଗ୍ରାମରେ। ସଂଜୀବ ପୂର୍ବରୁ ମଧ୍ୟ ବହୁ ଥର ଗଂଜେଇ ମାଲକାନଗିରିରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ କରି ସଫଳ ହୋଇଛନ୍ତି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଂକା ହେବ ବୋଲି ଅବକାରୀ ବିଭାଗ କହିଛି।

Leave a Reply

Your email address will not be published. Required fields are marked *

Back to top button