ଯବାନଙ୍କୁ ତିନି ପଟରୁ ଘେରି ଗୁଳି କରିଥିଲେ ମାଓବାଦୀ

ମାଲକାନଗିରି : ଛତିଶଗଡର ସୁକମା ବିଜାପୁର ଜିଲ୍ଲା ସୀମାରେ ମାଓବାଦୀ ଆକ୍ରମଣରେ ୨୨ ଜଣ ଯବାନ ସହିଦ୍ ହୋଇଥିବା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି। ମାଓବାଦୀମାନେ ବିଜାପୁର ଜିଲ୍ଲାର ଜୁନ୍ନାଗଡ ଓ ଏକ୍କଲଗୁଡିମ ଜଂଗଲରେ ତିନୋଟି ସ୍ଥାନରେ ଘେରି ଯବାନଙ୍କୁ ମାରିଥିଲେ। ପାହାଡ ମଝିରେ ତିନିଜଣ ଯବାନଙ୍କର ପାର୍ଥୀବ ଶରୀର ମିଳିଥିବା ବେଳେ ଜୁନ୍ନାଗଡ ଗାଁ ଭିତରେ ୧୪ ଜଣ ଯବାନଙ୍କ ମୃତଦେହ ଓ ଦୁଇ କିଲୋମିଟର ଦୁରରେ ୫ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଖବର ଅନୁଯାୟୀ ଜଂଗଲରେ ହିଡମା କିଛି ମାଓବାଦୀଙ୍କୁ ନେଇ କ୍ୟାମ୍ପ କରି ରହିଥିବା ମାଓବାଦୀ ପୋଲିସକୁ ଗୁପ୍ତ ସୂଚନା ପଠାଇଥିଲେ। ଏହା ଜାଣିବା ପରେ ଯବାନମାନେ ଜଂଗଲରେ ପଶିଥିଲେ। ଜଂଗଲ ଭିତରକୁ ଯବାନ ପଶିବା ପରେ ଚାରିପଟୁ ଅତର୍କିତ ଗୁଳି ଚଳାଇଥିଲେ ମାଓବାଦୀ। ଯବାନ ଦୌଡି ଜୁନ୍ନାଗଡ ଗାଁରେ ପଶିବାରୁ ସେଠାରେ ଥିବା ଗୁଳି ଚଳାଇଥିଲେ। ଜୁନ୍ନାଗଡ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ମଧ୍ୟ ମାଓବାଦୀ ଜଗି ରହିଥିଲେ। ଦୌଡି ଯିବାକୁ ଚେଷ୍ଟା କରୁଥିବା ଯବାନଙ୍କୁ ସେଠାରେ ଆମ୍ବୁସ ଲଗାଇ ମାରିଥିଲେ।
ଆହୁରି କୁହାଯାଇଛି ଯବାନଙ୍କ ଠାରୁ ମାଓବାଦୀଙ୍କ ସଂଖ୍ୟା ବେଶୀ ଥିଲା। ସେମାନେ ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ର ଧରିଥିଲେ। ତେବେ ଏହି ଏନକାଉଣ୍ଟରରେ ୩୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ୨୩ ଜଣ ବିଜାପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୭ ଜଣ ରାୟପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ବର୍ତ୍ତମାନ ୨୨ଜଣ ଯବାନଙ୍କୁ ହତ୍ୟା କରିଥିବା ମାଓନେତା ହିଡମା କିଏ ବୋଲି ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ହେଲା ହିଡମା ହେଉଛି ସୁକମା ଜିଲ୍ଲାର ପୁଭର୍ଟି ଗାଁର ଜଣେ ଆଦିବାସୀ। ସେ ୯୦ଦଶକରେ ବିଦ୍ରୋହୀମାନଙ୍କ ସହ ହାତ ମିଳାଇଥିଲା। ହିଡମା ପିପୁଲ୍ସ ଲିବରେସନ୍ ଗରିଲା ବାହିନୀ ନମ୍ବର ୧ର ବାଟାଲିୟନର ମୁଖ୍ୟ। ସେ ଭୟଙ୍କର ତଥା ମାରାତ୍ମକ ଆକ୍ରମଣ ପାଇଁ ଜଣାଶୁଣା। ମହିଳାଙ୍କ ସମେତ ପ୍ରାୟ ୧୮୦ରୁ ୨୫୦ମାଓବାଦୀ ତା’ ଅଧିନରେ କାମ କରୁଛନ୍ତି। ସେ ମାଓବାଦୀ ଦଣ୍ଡକାରନ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡ଼ିଛି।