ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ : ୨ ମୃତ

ଆଠଗଡ଼ : କଟକ ଜିଲ୍ଲା ବଡ଼ମ୍ୱା ବ୍ଲକରେ ଭାଗବତ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ବୋମା ଓ ଗୁଳି ଫୁଟିଥିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଆଠଗଡ ଉପଜିଲ୍ଲାପାଳ, କଟକ ଅତିରିକ୍ତ ଏସପି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ଭାଗବତପୁର ଓ ବୁଢ଼ାପଙ୍କ ଗାଁ ଲୋକଙ୍କ ଭିତରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା। ଶାନ୍ତି କମିଟି ମାଧ୍ୟମରେ ବହୁବାର ଏଏହାର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ସରକାରୀ ଜମିକୁ କେହି କବ୍‌ଜା ନକରିବା ପାଇଁ ଦୁଇ ଗାଁ ଲୋକଙ୍କୁ କୁହାଯାଇଥିଲା। ଯଦି ଅଫିସ୍‌ ପାଇଁ ସରକାରୀ ଜମି ଆବଶ୍ୟକ ପଡ଼େ ତେବେ ସ୍ଥାନୀୟ ତହସିଲଦାରଙ୍କ ସହିତ ଯୋଗଯୋଗ କରିବାକୁ ଦିଆଯାଇଥିଲା ପରାମର୍ଶ। ଏହା ସତ୍ତ୍ୱେ ଆଜି ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି।

ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କ କହିଛନ୍ତି ଭାଗବତପୁର ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ସ୍କୁଲ ପାଖ ପଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବା ପାଇଁ ଗାଁ ଲୋକେ ଆଜି ସଫାସଫି କରୁଥିଲେ। ଏହି ସମୟରେ ବୁଢ଼ାପଙ୍କ ଗାଁ ଲୋକମାନେ ସେମାନଙ୍କୁ ବିରୋଧ କରିବାରୁ ପ୍ରଥମେ ବଚସା ହୋଇଥିଲା। ପରେ ବୁଢ଼ାପଙ୍କ ଗାଁ ଲୋକମାନେ ଭାଗବତପୁର ଗାଁ ଭିତରେ ପଶି ବୋମା ଫିଙ୍ଗିବା ସହିତ ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ଭାଗବତପୁର ଗାଁର ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମାଣିଆବନ୍ଧ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅଶ୍ୱିନୀ ପାଳଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ସ୍ଥାନାନ୍ତର ବେଳେ ପବିତ୍ର ଆରୁଖଙ୍କ ମୃତ୍ୟୁ ହୋଇଛି।

ଘଟଣାକୁ ନେଇ ଭାଗବତପୁର ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ଅଭିମାନପୁର ଛକ ନିକଟରେ ରଖି ୬୫ ନମ୍ୱର କଟକ-ନରସିଂହପୁର ରାଜପଥକୁ ଅବରୋଧ କରିଛନ୍ତି। ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ପୋଲିସ ସହ ୬ ଜଣ ଅଫିସର ଓ ଜଣେ ଆଡିସ୍‌ନାଲ୍‌ ଏସ୍‌ପି ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବା ସହିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button