ଭୁବନେଶ୍ବର: ଶରୀର ପାଇଁ ଫଳ ଖୁବ୍ ଉପକାରୀ ହୋଇଥିବାବେଳେ ଏଥିରୁ ଆମକୁ ଶକ୍ତି ମିଳିଥାଏ। ଋତୁ ଅନୁସାରେ ଫଳ ଖାଇଲେ ଦେହ ସୁସ୍ଥ ରହିଥାଏ। ବର୍ଷା ଦିନେ ଜାମୁକୋଳି ଖାଇବାକୁ ବହୁତ ମଜା ଲାଗେ। ଏହି ଋତୁରେ ଜାମୁକୋଳି ପ୍ରବଳ ମାତ୍ରାରେ ହୋଇଥାଏ। ଜାମୁକୋଳି ଦେହ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହା ଏପରି ଏକ ଫଳ ଯାହାକି କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ଏହାର ଗୁଣ ସହ ସ୍ବାଦ ବି ଖୁବ୍ ଭଲ ହୋଇଥାଏ। ଜାମୁକୋଳି ଖାଇବା ଦ୍ବାରା ଆମକୁ କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା।
ଜାମୁକୋଳିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍ ଶରୀରରେ ଥିବା ଭୂତାଣୁକୁ ଶେଷ କରିବାରେ ସହାୟକ ହୋଇଥାଏ। ଜାମୁକୋଳି ଆମକୁ ସଂକ୍ରମଣ ଜନିତ ସମସ୍ୟାରୁ ବି ବଞ୍ଚାଇଥାଏ। ଜାମୁକୋଳିରେ ଭିଟାମିନ୍ ସି ଓ ଆଇରନ୍ ପ୍ରଚୁର ପରିିମାଣରେ ରହିଥାଏ। ହୃଦରୋଗ, ମଧୁମେହ, ରକ୍ତଚାପ ଆଦି ରୋଗୀମାନଙ୍କ ପାଇଁ ଏହା ଖୁବ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।

ବିଶେଷଜ୍ଞମାନଙ୍କ କହିବା କଥା ହେଲା ଯଦି ଆପଣଙ୍କୁ ଭିଟାମିନ୍ ସି କିମ୍ବା ଆଇରନ୍ର ଆବଶ୍ୟକତା ରହିଛି ତ ପ୍ରଚୁର ପରିମାଣରେ ଜାମୁକୋଳି ଖାଆନ୍ତୁ। ଏହା ଏକ ରକ୍ତ ସୃଷ୍ଟିକାରୀ କୋଳି। ଏହାକୁ ଖାଇଲେ ଖୁବ୍ ଶୀଘ୍ର ରକ୍ତ ସୃଷ୍ଟି ହୋଇଥାଏ। ରକ୍ତରେ ଥିବା ସେହି ବ୍ୟାକ୍ଟେରିଆକୁ ଜାମୁକୋଳି ନଷ୍ଟ କରି ଦେଇଥାଏ ଯାହା ହେତୁ ମୁହଁରେ ବ୍ରଣ ବାହାରିଥାଏ।
ମଧୁମେହ ରୋଗୀମାନେ ଜାମୁକୋଳି ଖାଇଲେ ରକ୍ତରେ ଶର୍କରା ଭାଗ ନିୟନ୍ତ୍ରଣରେ ରହିଥାଏ। ଜାମୁକୋଳିରେ ଥିବା ଫାଇବର୍ କାରଣରୁ ପେଟ ଦରଜ ଓ ଏସିଡିଟି ସମସ୍ୟା ଆଦି ଦୂର ହୋଇଥାଏ। ତେବେ ଆପଣ ପ୍ରଚୁର ପରିମାଣରେ ଜାମୁକୋଳି ଖାଆନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ।