ଜନଜାତି ଛାତ୍ରୀଙ୍କ ଶିକ୍ଷାବୃତ୍ତି ଅର୍ଥ ହଡପ ଅଭିଯୋଗ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ୍‌ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ଯୁକ୍ତତିନି ଛାତ୍ରୀଙ୍କ ଶିକ୍ଷାବୃତ୍ତି ହଡ଼ପ। ଏନେଇ ଅନୁସୂଚିତ ଜନଜାତି ଛାତ୍ରୀ ସସ୍ମିତା କାର୍ଜିମାଝୀ ମହାବିଦ୍ୟାଳୟ କର୍ମଚାରୀଙ୍କ ନାମରେ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ତାଙ୍କ ଅଜାଣତରେ ବ୍ରହ୍ମପୁର ସ୍ଥିତ ଏକ କଲେଜରେ ବିବିଏ ପାଠ୍ୟକ୍ରମରେ ନାମ ଲେଖା ହୋଇଛି। ବ୍ରହ୍ମପୁରରେ ତାଙ୍କ ନାମରେ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲାଯାଇ ଅର୍ଥ ହଡ଼ପ କରାଯାଇଛି।

ଖବର ଅନୁଯାୟୀ ସସ୍ମିତା ୨୦୧୭ ମସିହାରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ସରକାରଙ୍କ ଯୋଜନା ଅନୁସାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାବୃତ୍ତି ଯୋଜନାରେ ଆର୍ଥିକ ସହାୟତା ପାଇଁ ଦରଖାସ୍ତ କରିଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ଅର୍ଥ ଆସିଥିଲା ବେଳେ ସସ୍ମିତା ପାଇ ନଥିଲେ। ଏ ବିଷୟରେ ସେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦରଖାସ୍ତରେ ତ୍ରୁଟି ଯୋଗୁଁ ସେ ବଞ୍ଚିତ ହୋଇଥିବା କୁହାଯାଇଥିଲା। ପ୍ରତିଥର ନିରାଶ ହୋଇଥିବା ସସ୍ମିତା ନୟାଗଡ଼ ଜିଲ୍ଲାକୁ ଉଚ୍ଚଶିକ୍ଷା ପାଇଁ ଯିବା ପରେ ସଂପୃକ୍ତ କଲେଜର କର୍ମଚାରୀ ଆଧ‌ାର ନମ୍ବର ନେଇ ଯାଞ୍ଚ୍‌ କରିବାରୁ ଜଣାପଡିଥିଲା ତାଙ୍କ ନାମରେ ଆସିଥିବା ଶିକ୍ଷାବୃତ୍ତି ହଡ଼ପ କରାଯାଇଛି। ସସ୍ମିତାଙ୍କ ଭଳି ସୁରମି ମଳିକଙ୍କର ମଧ୍ୟ ଶିକ୍ଷାବୃତ୍ତି ଅର୍ଥ ହଡ଼ପ ହୋଇଥିବା ପ୍ରମାଣ ରହିଛି। ସସ୍ମିତା ଏ ବିଷୟ ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିବା ସହ ଏହାର ଏକକିତା ନକଲ ଜିଲ୍ଲାପାଳଙ୍କୁ ପଠାଇଛନ୍ତି। ଋଷିମାଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଦୁଃଖ ପ୍ରକାଶ କରିବା ସହ ଦୋଷୀକୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।