ଜାନୁଆରୀରୁ ଭାରତରେ କରୋନା ଟିକାକରଣ

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତରେ ଆରମ୍ଭ ହେବ କରୋନା ଟିକାକରଣ। ଏଥିପାଇଁ ୪ ମାସ ତଳୁ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଥିବା ମିଳିତ ଯୋଜନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞ ଟିମ୍‌ ଟିକାକୁ ଅନୁମତି ଦେବା କ୍ଷଣି ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି।

ଡା. ହର୍ଷବର୍ଦ୍ଧନଙ୍କ ସୂଚନା ଅନୁଯାୟୀ ଟିକା ସୁରକ୍ଷା ଓ ପ୍ରଭାବ ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଏଥିରେ କୌଣସି ପ୍ରକାରର ବୁଝାମଣା କରିପାରିବୁ ନାହିଁ। ମୁଁ ବ୍ୟକ୍ତିଗତ ଭାବେ ଆଶା ରଖିଛି ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରେ କରୋନା ଟିକାର ଡୋଜ୍‌ ଦେଶବାସୀଙ୍କୁ ଦିଆଯିବ।
କେନ୍ଦ୍ର ସରକାର ୪ ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ମିଶି ଟିକାକରଣ ପାଇଁ କାମ କରିଛନ୍ତି। ଆମେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତର ଟିକାକରଣ ପାଇଁ ଟ୍ୟାକ୍ସଫୋର୍ସ ଗଠନ କରିଛୁ। ସମଗ୍ର ଦେଶରେ ହଜାର ହଜାର ମାଷ୍ଟର ଟ୍ରେନରଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ସେହିପରି ୨୬୦ଟି ଜିଲ୍ଲାରେ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପାଇଁ ତାଲିମ ଦିଆଯାଇଛି।

ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଆମେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବୁ। ଏ ମଧ୍ୟରେ ରହିଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ୍‌, ସେନା ଓ ସଫେଇ କର୍ମଚାରୀ। ଏହାଛଡା ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଓ ଏକଧିକ ରୋଗରେ ପୀଡ଼ିତ ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରିବାକୁ ଗୁରୁତ୍ୱ ଦିଆଯାଉଛି।

  ୨୦୨୪ ମେ’ ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ : ରାକେଶ ଟିକାୟତ

ଏକାଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମ୍‌ ଫାଇଜର ଟିକା ଉପରେ ବିଚାର କରୁଛନ୍ତି। ସମସ୍ତେ ଟିକା ନିଅନ୍ତୁ ବୋଲି ଆମେ ଚାହୁଁଛୁ। ଟିକାକୁ ନେଇ ଲୋକଙ୍କ ମନରେ ଥିବା ସନ୍ଦେହ ଓ ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆମେ ସବୁ ପ୍ରକାରର ବ୍ୟବସ୍ଥା କରିବୁ। କିନ୍ତୁ ଯଦି କେହି ଟିକା ନେବାକୁ ଚାହିଁବେନି ଆମେ କାହାକୁ ବାଧ୍ୟ କରିବୁ ନାହିଁ। ଟିକା ନେବା ଆଦୌ ବାଧ୍ୟତାମୂଳକ ହେବ ନାହିଁ ବୋଲି ସେ କହିଛନ୍ତି। ବିଶ୍ୱରେ ଆମେ ଦେଶର ଆରୋଗ୍ୟ ହାର ସବୁଠାରୁ ଉପରେ ରହିଛି। ମୁଁ ଭାବୁଛି ବିପର୍ଯ୍ୟୟ ଆମକୁ ଅତିକ୍ରମ କରିସାରିଲାଣି। ତଥାପି ସତର୍କ ରହିବାକୁ ପଡ଼ିବ। କରୋନା ପାଇଁ ଜାରି କଟକଣାକୁ ଠିକ୍‌ ଭାବେ ପାଳନ କରିବାକୁ ହେବ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତା ଭଳି କରୋନା ବିରୋଧୀ ଅସ୍ତ୍ରକୁ ଆମେ କେବେ ଛାଡ଼ିବା ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।