ଜାନୁଆରୀରୁ-ମେ’ ଭିତରେ ୨କୋଟି ୨୭ଲକ୍ଷ ଲୋକ ହରାଇଛନ୍ତି ଚାକିରୀ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ଦେଶରେ ସର୍ବାଧିକ ଧନଜୀବନ ହାନି ହୋଇଛି। କେବଳ ମେ’ ମାସରେ ଦେଢ କୋଟି ଲୋକ ଚାକିରୀ ହରାଇଛନ୍ତି। ସେହିପରି ମେ’ ଶେଷ ସୁଦ୍ଧା ସହରାଂଚଳରେ ବେକାରୀ ହାର ୧୮ ପ୍ରତିଶତ ଛୁଇଁଛି। ଏପ୍ରିଲ ଓ ମେ’ ମାସରେ ବହୁ ଦିନ ମଜୁରିଆ କାମ ପାଇ ନଥିବା ବେଳେ ମେ’ ମାସରେ ଗ୍ରାମାଚଂଳରେ ବେକାରୀ ହାର ୯.୬ ପ୍ରତିଶତକୁ ଖସି ଆସିଛି।

ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ବା ସିଏମଆଇଇର ରିପୋର୍ଟ ଅନୁଯାୟୀ ୨୦୨୧ ଜାନୁୟାରୀରୁ ଲଗାତାର ୪ ମାସ ହେଲା ରୋଜଗାର କମିବାରେ ଲାଗିଛି। ୨୦୨୧ ଏପ୍ରିଲରେ ୩୯ କୋଟି ୮୦ ହଜାର ଲୋକ ଚାକିରି କରୁଥିଲେ। କିନ୍ତୁ ମେ’ ୨୦୨୧ରେ ୩୭ କୋଟି ୫୫ ଲକ୍ଷ ଲୋକଙ୍କ ପାଖରେ ଚାକିରୀ ରହିଥିବ ବେଳେ ମାସକ ଭିତରେ ପ୍ରାୟ ଦେଢ କୋଟି ଲୋକ ଚାକିରୀ ହରାଇଛନ୍ତି। ରୋଜଗାର ହାର ୩.୯ ପ୍ରତିଶତ ହ୍ରାସ ପାଇଛି। ୨୦୨୧ ଜାନୁଆରିରେ ୪୦ କୋଟି ୭ ଲକ୍ଷ କର୍ମଜୀବୀ ଥିବାବେଳେ ମେ’ ଶେଷ ସୁଦ୍ଧା ୩୭ କୋଟି ୫୫ ଲକ୍ଷ ଲୋକଙ୍କ ପାଖରେ ଚାକିରି ରହିଛି। ଜାନୁଆରିରୁ ମେ’ ଶେଷ ସୁଦ୍ଧା ୨କୋଟି ୫୩ ଲକ୍ଷ ରୋଜଗାର ହରାଇଛନ୍ତି। ସେଥିମଧ୍ୟରୁ କେବଳ ଏପ୍ରିଲ-ମେ ମାସରେ ୨କୋଟି ୨୭ ଲକ୍ଷ ଲୋକ ଚାକିରୀ ହରାଇଥିବା ସୂଚନା ଦେଇଛନ୍ତି ସିଏମଆଇଇ ସିଇଓ ମହେଶ ବ୍ୟାସ।

ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଏପ୍ରିଲ ଓ ମେ ମାସରେ ସର୍ବାଧିକ ଲୋକଙ୍କର ଚାକିରି ଯାଇଛି। ଏହାର ୨ଟି ମୁଖ୍ୟ କାରଣ ରିପୋର୍ଟରେ ଦର୍ଶାଯାଇଛି। ଦେଶର ଅଧିକାଂଶ ରାଜ୍ୟରେ ବିଭିନ୍ନ ଅବଧିର ଲକଡାଉନ କଟକଣା ଲାଗୁ ଯୋଗୁ ଅର୍ଥନୈତିକ ଗତିବିଧିରେ ଅଚଳାବସ୍ଥା ସୃଷ୍ଟି ହେଲା। ଯାହାର ସିଧା ସଳଖ ପ୍ରଭାବ ରୋଜଗାର ଉପରେ ପଡିଲା ବୋଲି କୁହାଯାଇଛି। ସଂସ୍ଥା ଆକଳନ କରିଛି ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେକାରୀଙ୍କ ସଂଖ୍ୟା କମିପାରେ। ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନହେବା, ଅଧିକାଂଶ କମ୍ପାନୀ ନିଯୁକ୍ତି ନଦେବାରୁ ବେକାରୀ ସମସ୍ୟା ବଢିଥିବା ବେଳେ ମହାମାରୀ ଯୋଗୁଁ ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *

Back to top button