ଜାନୁଆରୀରେ ‘ବଧାଇ ଦୋ’ ଫିଲ୍ମ ରିଲିଜ

ମୁମ୍ବାଇ : ଆସନ୍ତାବର୍ଷ ଜାନୁଆରୀରେ ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ଵେଲ ‘ବଧାଇ ଦୋ’ ରିଲିଜ୍ ହେବ। ଗତବର୍ଷ ‘ବଧାଇ ହୋ’ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଏହାର ସଫଳତାକୁ ଦେଖି ଏହାର ସିକ୍ଵେଲ ପ୍ରସ୍ତୁତ କରାଯାଇଛି। ତେବେ ବଧାଇ ଦୋରେ ଆୟୁଷ୍କାନ ଖୁରାନା ଓ ସାନ୍ୟ ମାଲହୋତ୍ରାଙ୍କ ବଦଳରେ ଅଭିନେତା ରାଜକୁମାର ରାଓ ଅଭିନେତ୍ରୀ ଭୂମି ପେଡନେକର ନଜର ଆସିବେ। ଟ୍ଵିଟରରେ ଭୂମି ଏହି ଫିଲ୍ମର ଘୋଷଣା କରିଥିବା ବେଳେ ରାଜକୁମାରଙ୍କ ସହିତ ନିଜର ଫଟୋ ସେୟାର କରିଛନ୍ତି।

ପ୍ରଥମଥର ପାଇଁ ତେବେ ଏହି ଫିଲ୍ମରେ ରାଜକୁମାର ଓ ଭୂମିଙ୍କ ଯୋଡିକୁ ଦର୍ଶକ ପ୍ରଥମେ ଦେଖିବେ। ସିନେମାରେ ରାଜକୁମାର ପୋଲିସ ଭୂମିକାରେ ଥିବାବେଳେ ଭୂମିଙ୍କୁ ପିଟି ଶିକ୍ଷୟିତ୍ରୀ ଭାବେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦେଶନା ଭାର ତୁଲାଇଛନ୍ତି ହର୍ଷବର୍ଧନ କୁଲକର୍ଣ୍ଣି। ବଧାଇ ହୋର କାହାଣୀ ଲେଖିଥିବା ସୁମନ ଅଧିକାରୀ ଓ ଅକ୍ଷୟ ଘିଲଦିୟାଲ ମଧ୍ୟ ବଧାଇ ଦୋ’ର କାହାଣୀ ଲେଖିଛନ୍ତି। ୨୦୧୮ରେ ଅମିତ ଶର୍ମା ନିର୍ଦେଶିତ ବଧାଇ ହୋ ମୁକ୍ତିଲାଭ କରିଥିଲା। ନୀନା ଗୁପ୍ତା ଓ ଗଜରାଜ ରାଓ ଆୟୁଷ୍କାନଙ୍କ ବାପା-ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ।

ମତାମତ ଦିଅନ୍ତୁ ।