ଯଶ୍ୱରେଶ୍ୱରୀ କାଳୀମନ୍ଦିରରେ ରୁପା ମୁକୁଟ ଅର୍ପଣ କରି ମୋଦିଙ୍କ ପୂଜାର୍ଚ୍ଚନା

ଢାକା : ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ପୂର୍ବାହ୍ନରେ ସତଖୀରା ଜିଲ୍ଲାର ଈଶ୍ୱରୀପୁର ଗାଁରେ ଅବସ୍ଥିତ ଯଶ୍ୱରେଶ୍ୱରୀ କାଳୀମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେ ମା’ କାଳୀ ପ୍ରତିମାଙ୍କ ମସ୍ତକରେ ଏକ ସୁନା କଲେଇ କରା ରୁପା ମୁକୁଟ ପିନ୍ଧାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ବାଂଲାଦେଶ ସରକାରୀ କର୍ତ୍ତୃପକ୍ଷମାନେ ସତଖୀରାରେ ଥିବା ଯଶ୍ୱରେଶ୍ୱରୀ ମନ୍ଦିରର ନବିକରଣ କରିଥିଲେ। ଭାରତ ଓ ତାହର ପଡ଼ୋଶୀ ଦେଶମାନଙ୍କରେ ଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଏହି ମନ୍ଦିର ଅନ୍ୟତମ। ଏଠାକୁ କାଳୀ ମେଳା ଦେଖିବାକୁ ଭାରତରୁ ଅନେକ ଲୋକେ ଆସୁଥିବାରୁ ବିଭିନ୍ନ କାର୍ଯ୍ୟରେ ଉପଯୋଗ ହେବାଭଳି ଏକ ‘କମ୍ୟୁନିଟି ହଲ୍‌’ ଆବଶ୍ୟକ। ସାମାଜିକ, ଧାର୍ମିକ ଓ ଶିକ୍ଷାସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାମ କରିବ। ଏହାର ନିର୍ମାଣ କାର୍ଯ୍ୟ ଭାରତ ସରକାର ଆରମ୍ଭ କରିବେ। ଏଥିପାଇଁ ଅନୁମତି ଦେଇଥିବାରୁ ବାଂଲାଦେଶ ସରକାରଙ୍କୁ ମୋଦି କୃତଜ୍ଞତା ଜଣାଇଥିବା ବେଳେ କାଳୀପୂଜା ଦେଖିବାକୁ ଆସୁଥିବା ଲୋକମାନଙ୍କୁ ଏହି ହଲ୍‌ ଉପକୃତ କରିବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ମା’ କାଳୀଙ୍କୁ ପୂଜା କରିବା ପାଇଁ ଆଜି ଏହି ଶକ୍ତିପୀଠକୁ ଯିବାର ସୁଯୋଗ ପାଇଲି। ମାନବ ଜାତିକୁ କୋଭିଡ୍‌-୧୯ କବଳରୁ ମୁକ୍ତ କରିବାକୁ ତାଙ୍କୁ ପ୍ରାର୍ଥନା କରିଛି। ଏହାଛଡା ସେଠାକାର ମତୁଆ ସମ୍ପ୍ରଦାୟର ଲୋକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା-ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button