ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ସଂଯୋଗ ମେହେର। ଆଜି ଖରିଆର ରୋଡ଼ସ୍ଥିତ ସରକାରୀ ବାସଭବନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଖବର ଅନୁଯାୟୀ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଗୋହିରାପଦର ଗ୍ରାମଠାରେ ଏକ ପେଟ୍ରୋଲ ପମ୍ପ ଖୋଲିବା ନେଇ ସୁଶାନ୍ତ କୁମାର କୋଲହାର ନାମକ ବ୍ୟକ୍ତି ଆବେଦନ କରିଥିଲେ। ଜାତୀୟ ରାଜପଥ କଡ଼ରେ ତାଙ୍କ ପେଟ୍ରୋଲ ପମ୍ପ କରୁଥିବାରୁ ସହକାରୀ ଯନ୍ତ୍ରୀଙ୍କ ଏକ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାର ଥିଲା । ଏହି ରିପୋର୍ଟ ପାଇଁ ଯନ୍ତ୍ରୀ ଶ୍ରୀ ମେହେର ୧ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏ ସମ୍ପର୍କରେ ସୁଶାନ୍ତ ଭିଜିଲାନ୍ସକୁ ଜଣାଇଥିଲେ।

କଥାବାର୍ତ୍ତା ଅନୁସାରେ ଆଜି ସୁଶାନ୍ତ ଯନ୍ତ୍ରୀ ଶ୍ରୀ ମେହେରଙ୍କ ବାସ ଭବନକୁ ଯାଇ ୨୦ ହଜାର ଟଙ୍କା ଦେବାର କିଛି ସମୟ ପରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଶ୍ରୀ ମେହେର ଟଙ୍କାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ। ପରେ କରୋନା ହୋଇଛି କହି ଛେପ ପକାଇଥିଲେ। କିନ୍ତୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କୁ ଧରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।