ଜାତୀୟ ଶିକ୍ଷାନୀତି -୨୦୨୦ ସମ୍ପର୍କରେ ଭର୍ଚୁଆଲ ଆଲୋଚନାଚକ୍ର

ଭୁବନେଶ୍ଵର: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି – ୨୦୨୦ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହା କିପରି ଭାବରେ ସମଗ୍ର ଭାରତବର୍ଷ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେଇପାରିବ ସେ ସମ୍ପର୍କରେ ବିଶଦ ତର୍ଜମାର ଆବଶ୍ୟକତା ରହିଛି । ନୂତନ ଶିକ୍ଷାନୀତିର ସକାରାତ୍ମକ ଓ ନକରାତ୍ମକ ଦିଗ ଉପରେ ଆଲୋକପାତ କରାଯିବା ସହିତ ଓଡିଶାର ଭୌଗୋଳିକ, ସମାଜିକ ଓ ଅର୍ଥନୈତିକ ସ୍ଥିତିରେ ଏହାର କି ପ୍ରକାର ପ୍ରଭାବ ରହିବ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବା ଦରକାର ।

ଓଡିଶାର ଗ୍ରାମାଂଚଳ ତଥା ଅନୁସୂଚିତ ଜାତି ଓ ଜନଜାତି, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଜାତୀୟ ଶିକ୍ଷାନୀତି – ୨୦୨୦ କିପରି ପ୍ରଭାବିତ କରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବାର ଆବଶ୍ୟକତା ରହିଥିବା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ବନ୍ଧିତ ଦୁଇଟି ଆଲୋଚନାଚକ୍ର ଆଜି ଭର୍ଚୁଆଲ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।

ଆଜି ପୂର୍ବାହ୍ନରେ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନ ଶିକ୍ଷା ଉଦ୍ୟୋଗୀମାନଙ୍କ ସହିତ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ଦ୍ୱିତୀୟ ଅଧିବେଶନ ରାଜ୍ୟର ବିଭିନ୍ନ ଶିକ୍ଷକ ଓ ଶିକ୍ଷକ ସଂଗଠନମାନଙ୍କ ସହିତ ଅନୁଷ୍ଠିିତ ହୋଇଥିଲା । ନୂତନ ଶିକ୍ଷାନୀତି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ଓ ଅଭିଭାବକମାନଙ୍କ ସ୍ୱାର୍ଥର ସୁରକ୍ଷା ସମ୍ବଳିତ ହୋଇଥିବାରୁ ପ୍ରତ୍ୟେକ ସ୍ତରରେ ଆଲୋଚନା କରାଯାଇ ସୁଚିନ୍ତିତ ପରାମର୍ଶ ତଥା ଦିଗଦର୍ଶନ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ଆୟୋଜକମାନେ କହିଥିଲେ ।

ପ୍ରଥମ ଅଧିବେଶନରେ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ଦେବା ଅବସରରେ ଏପରି ଆଲୋଚନାଚକ୍ର ଆୟୋଜନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ସ୍ୱାଗତ ଅଭିଭାଷଣ ଦେବା ପରେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡଃ ଅରୁଣ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିବା ଅବସରରେ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କରେ ରାଜ୍ୟର ସବୁ ବର୍ଗର ମତାମତ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃ ଅଶୋକ ଦାସ, ନିର୍ବାଚନ ଆୟୋଗର ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ଭିତି ପ୍ରବନ୍ଧ ପାଠ କରିବା ସହ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ଡଃ ବିଜୟ ସାହୁ, ମୁରଲୀ କ୍ରିଷ୍ଣନ, ଅମ୍ବରିଶ୍ ଦାସ, ଡଃ ଅଭିରାମ ବିଶ୍ୱାଳ, ଅଜୟ ବାହାଦୁର ସିଂହ, ବିପ୍ଳବ ବୁଗୁଡାୟି, ସୁଧାଂଶୁ ପଣ୍ଡା, ଆନନ୍ଦ ଅଗ୍ରୱାଲ, ଦେବସ୍ମିତା ସାହୁ, ରବୀନ୍ଦ୍ର ସେଠୀ ଓ ଡଃ ରାଜେନ୍ଦ୍ର ସାହୁ ପ୍ରମୁଖ ଭାଗ ନେଇଥିଲେ ।

ସେହିପରି ଅପରାହ୍ନ ଅଧିବେଶନରେ ଶିକ୍ଷକ ଓ ଶିକ୍ଷକ ସଂଗଠନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ଅଧିବେଶନକୁ ପରିଚାଳନାକରି ମନ୍ତ୍ରୀ ଡଃ ସାହୁ ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ କେତେଦୂର ଫଳପଦ ହେବ ଏବଂ ଓଡିଶା ପରିପ୍ରେକ୍ଷୀରେ ଏହା କେତେଦୂର ପ୍ରଯୁଯ୍ୟ ସେ ସମ୍ପର୍କରେ ଆଲୋଚନା କରି ଯଦି ଏଥିରେ କୌଣସି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସେ ସମ୍ପର୍କରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ ।

ଅଧିବେଶନରେ ଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ରୋହିତ ପୂଜାରୀ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏଥିରେ ପୂର୍ବତନ କୁଳପତି ଡଃ ଆଦିତ୍ୟ ପାଢି ଏବଂ ସାଇ ଇଣ୍ଟରନାସନାଲର ପ୍ରତିଷ୍ଠାତା ଡଃ. ବିଜୟ ସାହୁ ଭିତି ପ୍ରବନ୍ଧ ଉପସ୍ଥାପନା କରିଥିଲେ ।

ଖୋଲା ଆଲୋଚନାଚକ୍ରରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ହୃଦାନନ୍ଦ ଦ୍ୱିବେଦୀ, ପବିତ୍ର ମାହାଲା, ଗୋଲକ ନାୟକ, ପ୍ରକାଶ ମହାନ୍ତି, ମାନସ ବେହେରା, ରାଜେଶ ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଅମୀୟ ମହାନ୍ତି, ବିଜୟ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନା କରିଥିବାବେଳେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରଞ୍ଜିତା କୁଲକର୍ଣ୍ଣି, ସମ୍ବଲପୁରର ସୁଧାଂଶୁ ଶେଖର ରଥ, କୋରାପୁଟର ଉମାଶଙ୍କର ପାତ୍ର, ଶୋଭନୀୟ ଶିକ୍ଷାଶ୍ରମର ଡଃ ଅରୁନ୍ଧତୀ ଦେବୀ, ଡଃ ପ୍ରଣତୀ ଦାସ ପ୍ରମୁଖ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ମତାମତ ରଖିଥିଲେ । ଶେଷରେ ବିଜେଡିର ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ମତାମତ ଦିଅନ୍ତୁ ।