ଯାତ୍ରୀବାହୀ ବସ୍ ଓଲଟି ୧୦ ଆହତ

ନୟାଗଡ଼ : ଖଣ୍ଡପଡ଼ା ଥାନା ଜଗନ୍ନାଥପ୍ରସାଦ ପଞ୍ଚାୟତର ଦରଦା ଠାରେ ଯାତ୍ରୀବାହୀ ବସ୍ ଓଲଟି ହେଲ୍ପରଙ୍କ ମୃତ୍ୟୁ। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ନୟାଗଡ଼ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।
ଖବର ଅନୁଯାୟୀ ବ୍ରହ୍ମପୁରରୁ କଟକ ଜିଲ୍ଲା ନରସିଂହପୁର ଯାଉଥିବା ‘ଚୌଧୁରୀ’ ନାମକ ଯାତ୍ରୀବାହୀ ବସ୍ ଖଣ୍ଡପଡ଼ା ଥାନା ଜଗନ୍ନାଥପ୍ରସାଦ ପଞ୍ଚାୟତର ଦରଦା ଠାରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଖବର ପାଇ ଖଣ୍ଡପଡ଼ା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ବସ୍ ହେଲ୍ପରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୭ ଜଣ ଖଣ୍ଡପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।