ଯାତ୍ରୀବାହୀ ଗାଡିରେ ଅଶ୍ଳୀଳ ଗୀତ ବଜାଇଲେ ପରମିଟ୍ ରଦ୍ଦ ହେବ

ପାଟନା : ଯାତ୍ରୀବାହୀ ଗାଡିରେ ଅଶ୍ଳୀଳ ଗୀତ ବଜାଇଲେ ପରମିଟ ରଦ୍ଦ କରିଦିଆଯିବ। ବିହାର ପରିବହନ ବିଭାଗ ଏଭଳି ନିର୍ଦ୍ଦେଶ ଜାରି କରିଛି। ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାର ସଂଯୁକ୍ତ ଆୟୁକ୍ତ, ଜିଲ୍ଲା ପରିବହନ ପଦାଧିକାରୀ, ମୋଟରଯାନ ନିରୀକ୍ଷକ ଓ ପ୍ରବର୍ତ୍ତନ ନିରୀକ୍ଷକଙ୍କ ନିକଟକୁ ପଠାଇ ଯାଇଛି।

ବିହାରରେ ଯାତାୟାତ କରୁଥିବା ବସ, ଅଟୋ ଓ ଅନ୍ୟ ଯାତ୍ରୀବାହୀ ଗାଡିରେ ଅଶ୍ଳୀଳ ଗୀତ ବାଜୁଥିବା ଯୋଗୁଁ ମହିଳା ଯାତ୍ରୀଙ୍କୁ ଲଜ୍ଜିତ ହେବାକୁ ପଡିଥାଏ। ତେଣୁ ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏହିଭଳି ପଦକ୍ଷେପ ନେଇଛି। ହୋଲି ସମୟରେ ଅଶ୍ଳୀଳ ଗୀତ ଅଧିକ ବାଜୁଥିବା ଅଭିଯୋଗ ହୋଇଥିବା ପରିବହନ ବିଭାଗ ସବୁ ଜିଲ୍ଲାର ଅଧିକାରୀଙ୍କୁ ଅବଗତ କରିଛି। ସେଥିପାଇଁ ହୋଲି ପୂର୍ବରୁ ଏକ ଅଭିଯାନ ଆରମ୍ଭ କରି ନିର୍ଦ୍ଦେଶ କଡାକଡି ପାଳନ କରିବାକୁ କୁହାଯାଇଛି।

କେବଳ ସେତିକି ନୁହେଁ ପରିବହନ ବିଭାଗ କହିଛି ଅଟୋ, ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିରେ ଅଶ୍ଳୀଳ ଗୀତ ବଜାଇଲେ ପୋଲିସ ସହାୟତାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡା ମହିଳା କଲେଜ ଓ ସ୍କୁଲ ନିକଟରେ ଅଶ୍ଳୀଳ ଗୀତ ବଜାଇବା ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ମଧ୍ୟ ବିଭାଗ କହିଛି।

Leave a Reply

Your email address will not be published. Required fields are marked *

Back to top button