Breaking Newsଦେଶ-ବିଦେଶ

ସରକାରୀ କର୍ମଚାରୀଙ୍କୁ ଜିନ୍‌ସ, ଟି-ସାର୍ଟ ଓ ସ୍ଲିପର ମନା

ନୂଆଦିଲ୍ଲୀ : ସରକାରୀ କର୍ମଚାରୀ ଅଫିସ୍‌କୁ ଜିନ୍ସ, ଟି-ସାର୍ଟ କିମ୍ବା ସ୍ଲିପର ପିନ୍ଧି ଆସିପାରିବେ ନାହିଁ। ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତ ୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଶୁକ୍ରବାର ସମସ୍ତ କର୍ମଚାରୀ କେବଳ ଖଦୀ ପୋଷାକ ପିନ୍ଧିବେ। ଏହାଦ୍ୱାରା ଖଦୀ ବସ୍ତ୍ରର ପ୍ରଚାର ପ୍ରସାର ସହିତ ଏହା ଉପରେ ନିର୍ଭରଶୀଳ ପରିବାର ବିଶେଷ ଭାବେ ଉପକୃତ ହୋଇପାରିବେ।

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଅଫିସ୍‌ର ଅଧିକାଂଶ ବିଶେଷକରି ଚୁକ୍ତିଭିତ୍ତିକ କର୍ମଚାରୀ ଓ ସରକାରୀ କାର୍ଯ୍ୟ ପାଇଁ ନିୟୋଜିତ ପରାମର୍ଶଦାତାମାନେ ଉପଯୁକ୍ତ ପୋଷାକ ପିନ୍ଧି ଅଫିସ୍‌ ଆସୁନାହାନ୍ତି। ଜଣେ ସରକାରୀ କର୍ମଚାରୀଙ୍କୁ ସୁହାଇବା ଭଳି ପୋଷାକ ନପିନ୍ଧିବା ଫଳରେ ସର୍ବସାଧାରଣରେ ଏମାନଙ୍କର ଛବି ଖରାପ ହେଉଛି। ଯଦି ପୋଷାକ ଅନୁପଯୁକ୍ତ ଓ ଅପରିଷ୍କାର ହୋଇଥିବ ତାହାର ପରୋକ୍ଷରେ ପ୍ରଭାବ ଜଣେ କର୍ମଚାରୀଙ୍କ କାର୍ଯ୍ୟ ଉପରେ ପଡିବ। ତେଣୁ ପୋଷାକ ମାର୍ଜିତ ଓ ପରିଷ୍କାର ହେବା ଦରକାର। ପୁରୁଷମାନେ ସାର୍ଟ-ପ୍ୟାଣ୍ଟ କିମ୍ବା ଟ୍ରାଉଜର-ପ୍ୟାଣ୍ଟ ପିନ୍ଧି ଅଫିସ୍‌ ଆସିବେ। ଗାଢ଼ ରଙ୍ଗ କିମ୍ବା ଏମ୍ବ୍ରଡୋରୀ ପୋଷାକ ଚଳିବ ନାହିଁ। ଏଥିସହ ସେମାନେ ଜୋତା କିମ୍ବା ସାଣ୍ଡାଲ ପିନ୍ଧି ଆସିବାକୁ କୁହାଯାଇଛି। ସେହିଭଳି ମହିଳା କର୍ମଚାରୀମାନେ ଶାଢ଼ି, ସାଲୱାର/ଚୁଡିଦାର କୁର୍ତ୍ତା, ଟାଉଜର ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଆସିବେ। ଦୁପଟା ମଧ୍ୟ ବ୍ୟବହାର କରିପାରିବେ। ସେମାନେ ଚପଲ, ସାଣ୍ଡାଲ କିମ୍ବା ଜୋତା ପିନ୍ଧିପାରିବେ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button