ଜେଏସପିଏଲରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0

ଯୋଡ଼ା : ୩୨ ତମ ରାଷ୍ଟ୍ରୀୟ ସଡକ ସୁରକ୍ଷା ମାସ ପାଳନ ପରିପ୍ରେକ୍ଷୀରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ପକ୍ଷରୁ ଡ୍ରାଇଭରମାନଙ୍କ ପାଇଁ ଏକ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କମ୍ପାନୀ ପରିସର ବାହାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଏହି କାର୍ଯ୍ୟକ୍ରମରେ ପାଖାପାଖି ଅଂଚଳର ପ୍ରାୟ ୨୫୦ ଜଣ ଡ୍ରାଇଭର ଯୋଗ ଦେଇଥିଲେ।

ରାଷ୍ଟ୍ରୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ବ୍ରିଜ ବଦହଦରା କହିଲେ ଜେଏସପିଏଲରେ ଆମେ ସର୍ବଦା ସୁରକ୍ଷାକୁ ପ୍ରାଥମିକତା ଦେଇ ଆସୁଛୁ। ବର୍ତ୍ତମାନ ‘ସଡକ ସୁରକ୍ଷା’କୁ ଏକ ସାମାଜିକ ସମସ୍ୟା ହିସାବରେ ଗ୍ରହଣ କରି ଆମ ସମସ୍ତେ ଏକଜୁଟ ହୋଇ ଏହାର ନିରାକରଣ ନିବାରଣ କରିବାର ସମୟ ଆସିଛି।

ବଡ଼ବିଲ ପ୍ଲାଣ୍ଟ ମାନବ ସମ୍ବଳ ମୁଖ୍ୟ ଶରତ କିଶୋର ପଣ୍ଡା କହିଲେ ସଡକ ଦୁର୍ଘଟଣା ଯୋଗୁଁ ପ୍ରଭାବିତ ପରିବାରମାନଙ୍କ ଉପରେ ଆର୍ଥିକ ତଥା ମାନସିକ ବୋଝ ବଢିଥାଏ। ସେଥିପାଇଁ ଆମକୁ ସଡକ ସୁରକ୍ଷା ପ୍ରତି ଯତ୍ନବାନ ହୋଇ ଏହି ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ। ଆମର ଅର୍ଥନୀତିକୁ ଆଗକୁ ନେବାରେ ଡ୍ରାଇଭରମାନଙ୍କର ଅବଦାନ ଯଥେଷ୍ଟ ଥିବାରୁ ସେମାନଙ୍କୁ ‘ଟ୍ରକ ପାଇଲଟ’ ଭାବରେ ସମ୍ବୋଧନ କରାଯିବା ଉଚିତ।

ଏହି ଅବସରରେ ଡ୍ରାଇଭରମାନଙ୍କୁ ‘ସଡକ ସୁରକ୍ଷା ଓ ମାନବିକତା’ ପ୍ରତିବଦ୍ଧତାର ଶପଥ ପାଠ କରାଯାଇଥିଲା। ଗାଡି ଚଳାଇବା ତଥା ଅନ୍ୟ ସମୟରେ କୌଣସି ଦୁର୍ଘଟଣା ବେଳେ ସେମାନଙ୍କର ଭୂମିକା ବିଷୟରେ ସେମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେମାନେ ସଡକ ସୁରକ୍ଷା ସମ୍ବନ୍ଧୀୟ ପ୍ଲାକାର୍ଡ଼ ଧରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁରକ୍ଷା ଜୋତା, ହେଲମେଟ, ମାସ୍କ ବଣ୍ଟନ କରାଯିବା ସହ କୃତି ଡ୍ରାଇଭର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମାନବ ସମ୍ବଳ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କମର୍ସିୟାଲ ବିଭାଗ ମୁଖ୍ୟ ସୁଶୀଲ କୁମାର ଅଗ୍ରୱାଲ, ଅଗ୍ନି ଓ ନିରାପତ୍ତା ବିଭାଗ ହରକୁଲେସ ଜେନା ଓ ଡଃ ଶ୍ରୀ ଅଜିତ ଜେନା ପ୍ରମୁଖଙ୍କ ସମେତ କମ୍ପାନୀର ବହୁ କର୍ମଚାରୀ ଉପସ୍ଥିତ ଥିଲେ। ସଡକ ଦୁର୍ଘଟଣାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି କାର୍ଯ୍ୟକ୍ରମକୁ ବର୍ଷତମାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Leave A Reply

Your email address will not be published.