ଜେଲରେ ଗୁଳିମାଡ଼ : ୨୯ ମୃତ

କାବୁଲ : ଜେଲ ପଶି ବନ୍ଧୁକଧାରୀଙ୍କ ଗୁଳିମାଡ଼ କରିବାରୁ ୨୯ ଜଣଙ୍କ ଜୀବନ ଯାଇଛି। ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଆଫଗାନିସ୍ତାନରେ ଘଟିଥିବା ବେଳେ ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି।

ଖବର ଅନୁଯାୟୀ ବିଦ୍ରୋହୀମାନେ ପ୍ରଥମେ ବିସ୍ଫୋରକ ଖଚିତ ଗାଡ଼ିକୁ ଜେଲର ପ୍ରବେଶ ପଥରେ ରଖିଥିଲେ। କେହି କିଛି ବୁଝିବା ଆଗରୁ ଏହା ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହାପରେ ବିଦ୍ରୋହୀ ବନ୍ଧୁକଧାରୀ ଜେଲ ଭିତରେ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଜେଲରେ ଆଇଏସଆଇଏଲ ଓ ତାଲିବାନ ଆତଙ୍କବାଦୀଙ୍କ ସମେତ ପ୍ରାୟ ୨ ହଜାର କଏଦ ରହିଥିଲେ। ଗୁଳିମାଡରେ କଏଦୀଙ୍କ ସମେତ ସାଧାରଣ ନାଗରିକ, ଜେଲ କର୍ମଚାରୀ ଓ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ ଏହା କୁହାଯାଇଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି।

  ବିଷ ପିଇଲେ ପ୍ରେମୀ ଯୁଗଳ

ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ବିଦ୍ରୋହୀ ଗୋଷ୍ଠୀର କିଛି ସଦସ୍ୟ ପ୍ରାଣ ହରାଇଛନ୍ତି। କିନ୍ତୁ ଆକ୍ରମଣ ଓ ପ୍ରତି ଆକ୍ରମଣର ସୁଯୋଗ ନେଇ କିଛି କଏଦୀ ଫେରାର ହୋଇଯାଇଥିବାରୁ ସମଗ୍ର ଜଲାଲବାଦରେ କର୍ଫ୍ୟୁ ଲାଗୁ କରାଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ମତାମତ ଦିଅନ୍ତୁ ।