ଝାରସୁଗୁଡ଼ାର ୧୨ଟି ସ୍ଥାନ ଓ କଳାହାଣ୍ଡିର ଗୋଟିଏ ଗାଁ’ରେ କଣ୍ଟେନମେଣ୍ଟ କଟକଣା

ଝାରସୁଗୁଡ଼ା/ଭବାନୀପାଟଣା : ଝାରସୁଗୁଡ଼ା ପୌର ପରିଷଦର ୮ଟି, କିରିମିରା ବ୍ଲକର ୩ଟି ଓ ଲଖନପୁରର ଗୋଟିଏ ଅଞ୍ଚଳକୁ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ମଧ୍ୟରେ ରହିଛି ବେହେରାମାଲ, ସରବାହଲ, ବମ୍ବେଛକ, ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡ଼ା, ପିପିଲିମାଲ, ମାଲୁଆପଡ଼ା, ନକ୍ସାପାଲି, ଓ କୂଟରାଚୂଆଁ। ଏହାଛଡା ଛତିଶଗଡ଼ରେ ବୃଦ୍ଧି ପାଇଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ମାସ୍କ ଚେକିଂକୁ ଜୋରଦାର କରାଯାଇଛି।
ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଚିଲଚିଲା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି। ଏଥିସହ ଥାନଟ ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି। ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ଜି.ପି ହର୍ଷଦ।
କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳର ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି। ଏହି ଜୋନ୍ ଭିତରେ ଆସୁଥିବା ସରକାରୀ ଓ ଘରୋଇ ଅନୁଷ୍ଠାନ ଗୁଡ଼ିକୁ ବନ୍ଧ କରାଯାଇଛି। ଅତ୍ୟନ୍ତ ଜରୁରୀ କ୍ଷେତ୍ରରେ ଅର୍ଥାତ ମେଡିକାଲ୍ କେସ୍ ପାଇଁ ଜୋନ୍ ବାହାରକୁ ଯିବାକୁ ଅନୁମତି ଦିଆଯାଇପାରିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। ବଫର ଜୋନ୍ରେ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଲୋକଙ୍କୁ ଯାତାୟାତ କରିବାକୁ ଅନୁମତି ଦିଆଯିବ। ସାମାଜିକ ଦୂରତା ରକ୍ଷା କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଲୋକଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ସୁନିଶ୍ଚିତ କରିବାକୁ ଧର୍ମଗଡ଼ ବିଡିଓଙ୍କୁ ଦାୟିତ୍ୱ ଦିଆଯାଇଛି। କଳାହାଣ୍ଡି ସିଡିଏମ୍ଓ କଣ୍ଟେନ୍ମେଣ୍ଟ୍ ଜୋନ୍ ଓ ବଫର ଜୋନ୍ରେ କଣ୍ଟାକ୍ଟ ଟ୍ରେସିଂ ଓ ଆକ୍ଟିଭ ସର୍ଭଲାନ୍ସ କାର୍ଯ୍ୟକୁ ସୁନିଶ୍ଚିତ କରିବେ। ୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି।