ଝିଅକୁ ମିଳିବ ପୈତୃକ ସମ୍ପତ୍ତିର ହକ୍‌

॥ ଗୋପାଳ ମହାପାତ୍ର ॥
ହିନ୍ଦୁ ଉତ୍ତରାଧିକାର ଆଇନ୍ ୧୯୫୬ର ଧାରା ୬କୁ ୨୦୦୫ ମସିହାରେ ସଂଶୋଧନ କରାଯାଇଥିଲା ଓ ସଂସଦରେ ଯୌଥ ହିନ୍ଦୁ ପରିବାର ର ପୈତୃକ ସମ୍ପତ୍ତିରେ କନ୍ୟା ବା ଝିଅମାନଙ୍କ ଅଧିକାରକୁ ସାବ୍ୟସ୍ତ କରାଯାଇଥିଲା । ଅର୍ଥାତ୍ ପୈତୃକ ସମ୍ପତ୍ତିରେ ପୁଅ-ଝିଅ ସମସ୍ତଙ୍କର ସମାନ ଅଧିକାର ରହିବ । କିନ୍ତୁ ୨୦୦୫ ର ଆଇନ୍ ସଂପର୍କରେ ସ୍ପଷ୍ଟ ବାଖ୍ୟା କରାଯାଇନଥିଲା । ନିକଟରେ ଦେଶର ସର୍ବୋଚ୍ଚ ଅଦାଲତ ଏ ସମ୍ପର୍କୀତ ଏକ ମାମଲାର ଶୁଣାଣୀ କରି ଯେଉଁ ରାୟ ଶୁଣାଇଛନ୍ତି ତାହା ଐତିହାସିକ ନିଶ୍ଚୟ। ଅଗଷ୍ଟ ୧୧ ତାରିଖରେ ମାନ୍ୟବର ଅଦାଲତ ୨୦୦୫ ହିନ୍ଦୁ ଉତ୍ତରାଧିକାର ଅଧିନିୟମରେ ଯେଉଁ ସଂଶୋଧନ କରାଯାଇଥିଲା ତାର ସ୍ପଷ୍ଟ ବ୍ୟାଖ୍ୟା କରିଛନ୍ତି । ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଇନ୍‌ର ବ୍ୟାଖ୍ୟା କରି କହିଛନ୍ତି ଯେ ଝିଅମାନଙ୍କୁ ପୁଅମାନଙ୍କ ଭଳି ପୈତୃକ ସମ୍ପତ୍ତିରୁ ହକ୍ ମିଳିବ । ଅଦାଲତ କହିଛନ୍ତି ଯେ “ପୁଅ ବିବାହ ପର୍ଯ୍ୟନ୍ତ ବାପା ମା’ଙ୍କର ପୁଅ ହୋଇ ରହିଥାଏ କିନ୍ତୁ ଝିଅ ସାରା ଜୀବନ ଝିଅ ହୋଇ ରହେ” । ଅଦାଲତଙ୍କ ଏହି ମନ୍ତବ୍ୟର ମର୍ମ ମଧ୍ୟ ଅଧିକ । ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଅଧିନିୟମ ୨୦୦୫ର ଧାରା ୬ରେ ସ୍ପଷ୍ଟ କୁହାଯାଇଛି ଯେ ଝିଅ ଜନ୍ମ ହେବା ପରଠାରୁ ଉତ୍ତରାଧିକାରୀ ହୋଇଥାଏ ଏବଂ ଆଜିବନ ମଧ୍ୟ ଉତ୍ତରାଧିକାରୀ ହୋଇରହିବ । ସଂଶୋଧିତ ଆଇନ୍ ଲାଗୁ ହେବା ପୂର୍ବରୁ ଝିଅର ଜନ୍ମ ହୋଇଥାଉ ବା ପରେ ଜନ୍ମ ହେଉ ୨୦୦୫ର ଆଇନ ତା ପାଇଁ ଲାଗୁହେବ । ଏପରିକି ୨୦୦୫ର ଆଇନ୍ ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସମ୍ପତ୍ତିରେ ଝିଅର ହକ୍ ରହିବ ।

୨୦୦୫ ମସିହା ସେପ୍ଟେମ୍ବର ୯ତାରିଖର ସଂଶୋଧନରେ ପିତାଙ୍କ ସମ୍ପତ୍ତିରେ ପୁଅ-ଝିଅ ଉଭୟର ହକ୍ ରହିବ ବୋଲି କୁହାଯାଇଥିଲା । କିନ୍ତୁ ସେଥିରେ ସ୍ପଷ୍ଟ ଭାବେ କୁହାଯାଇନଥିଲା ଯେ ଯଦି ପିତାଙ୍କ ମୃତ୍ୟୁ ୨୦୦୫ ପୂର୍ବରୁ ହୋଇଥିବ ତେବେ ଏହି ଆଇନ୍ ସେ କ୍ଷେତ୍ରରେ ଲାଗୁ ହୋଇପାରିବ କି ନାହିଁ । ଅଧିନିୟମ ଅଣାଯିବା ଏବଂ ଏଥିରେ ସଂଶୋଧନ କରାଯିବା ଐତିହାସିକ ନିଶ୍ଚୟ । କାରଣ ଏହା ପୁଅ ଓ ଝିଅଙ୍କୁ ସମାନ ଅଧିକାର ଦେଇପାରିଛି । ଭାରତୀୟ ଜନ ଜୀବନରେ ନାରୀକୁ ସର୍ବଦା ଉଚ୍ଚ ସ୍ଥାନରେ ରଖାଯାଇଛି । ଏଇଥି ପାଇଁ ସଂସ୍କୃତରେ କୁହାଯାଇଛି – “ଯତ୍ର ନାର୍ଯ୍ୟେସ୍ତୁ ପୂଜ୍ୟନ୍ତେ ରମ୍ୟତେ ତତ୍ର ଦେବତା” । ଅର୍ଥାତ୍ ନାରୀମାନଙ୍କୁ ଯେଉଁଠାରେ ପୂଜା କରାଯାଏ ବା ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯାଏ ସେଠାରେ ଦେବତାମାନେ ବସବାସ କରିଥାନ୍ତି । କିନ୍ତୁ ପରିସ୍ଥିତିର ପରିବର୍ତ୍ତନ କ୍ରମେ ଏହି କଥା କେବଳ କଥାରେ ରହିଯାଇଥିଲା । ନାରୀମାନେ ସେମାନଙ୍କର ଅଧିକାରରୁ ବଞ୍ôଚତ ରହିବା ସହ ସେମାନଙ୍କ ଅବସ୍ଥା ଦୟନୀୟ ହେବାରେ ଲାଗିଲା । କେବଳ ଘର-ପରିବାର ପ୍ରତି ସେମାନଙ୍କର କର୍ତ୍ତବ୍ୟ ନିର୍ବାହ ସୋମାନଙ୍କର ଜୀବନର ନିୟତି ପାଲଟି ଗଲା । ସମାଜରେ କନ୍ୟା ସନ୍ତାନକୁ ‘ପର ଘରର ଧନ’ ବା ପରଧନ ବୋଲି କୁହାଯାଇଥାଏ । ଏହି ଭାବନା ଆଜି ବି ଆମ ସମାଜରେ ରହିଛି । କନ୍ୟା ସନ୍ତାନ ବା ଝିଅମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ମାନ, ସୁରକ୍ଷା ଆଦି ମହତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଏବେ ବି ଉପେକ୍ଷିତ । ଏବେବି ମୂଳଭୁତ ଆବଶ୍ୟକତା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଛି । ମହିଳା କମିଶନ ଏବଂ ଅନେକଗୁଡ଼ିଏ ନ୍ୟାୟିକ ପ୍ରାବଧାନ ଥିବା ସତ୍ୱେ ଏମାନେ ଏମାନଙ୍କ ଅଧିକାର ପାଉନାହାଁନ୍ତି । ଏକଥା ସବୁ ସମାଜର ରୁଗ୍‌ଣ ମାନସିକତା ବୋଲି କୁହାଯାଇପାରେ । ବାଲ୍ୟବିବାହ, ବିଧବା ବିବାହ, ବୈବାହିକ ଜୀବନରେ ହିଁସା, ଘରୋଇ ହିଁସା, ତଲାକ୍‌, ଯୌତୁକ ପ୍ରଥା ଆଦି ଅନେକ କାରଣ ପାଇଁ କନ୍ୟା ସନ୍ତାନ ବା ମାତୃ ଶକ୍ତିକୁ ଅନେକ ସମୟରେ ଅପମାନ ଜନକ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ । ଜାତି, ଧର୍ମ ଏବଂ ପରମ୍ପରାର ଦ୍ୱାହି ଦେଇ ତଥ୍ୟ ହୀନ ସୂଚନାକୁ ଗୁରୁତ୍ୱ ଦିଆଯାଇ ନାରୀକୁ ଶୋଷଣ କରାଯାଇଥାଏ । ଆଜିବି ଦେଶର ଅନେକ ଅଞ୍ଚଳରେ କନ୍ୟା ସନ୍ତାନ ବା ସ୍ତ୍ରୀର ଜୀବନ ଚାରିକାନ୍ଥ ଭିତରେ ସୀମିତ ରହିଛି । ପରିବାରର ନିର୍ଣ୍ଣୟ ହେଉ ଅଥବା ନିର୍ଣ୍ଣାୟକ ଭୂମିକାରେ ନାରୀକୁ ରଖାଯାଉନାହିଁ । ଏବେ ସମୟ ବଦଳିଛି । ଝିଅମାନେ ପୁଅମାନଙ୍କ ଅପେକ୍ଷା ସବୁ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଲେଣି । ତଥାପି ଆମ ସମାଜ ତାଙ୍କୁ ନାରୀ ଦୁର୍ବଳାର ଆଖ୍ୟା ଦେଇଚାଲିଛି । ଜୀବନ ଯାପନ କ୍ଷେତ୍ର ହେଉ ଅଥବା ରୋଜଗାର କ୍ଷେତ୍ର ସବୁଠି ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଛି ଓ ସେମାନଙ୍କୁ ଉପେକ୍ଷା ସହିବାକୁ ପଡୁଛି । ଶ୍ରମ କ୍ଷେତ୍ରରେ ସମାନ କାମ କରି ମଧ୍ୟ ପୁରୁଷଙ୍କ ଅପେକ୍ଷା ମଜୁରୀ କମ୍ ମିଳୁଛି । ସେମାନଙ୍କ ଜ୍ଞାନ ଗାରିମାକୁ ଗୁରୁତ୍ୱ ଦିଆଯାଉନାହିଁ ।

ସବୁଠୁ ବଡ଼ କଥା ହେଉଛି ଘରୋଇ ହିଁସା ଏବଂ ବୈବାହିକ ଜୀବନରେ ହିଁସା ଘଟଣା ସମାଜରେ ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି । ଗ୍ରାମାଞ୍ଚଳର ପରିବେଶ, ଜାତି ଏବଂ ସାମ୍ପ୍ରଦାୟିକ ଦୃଷ୍ଟିରୁ ବିଚାର କରାଗଲେ ଏମାନେ ଏବେ ବି ପୁରୁଷ ପ୍ରଧାନ ସମାଜର ଅଧିନସ୍ଥ ହୋଇରହିଛନ୍ତି । ଯୌତୁକ ନିର୍ଯ୍ୟାତନା, ଯୌତୁକ ଜନିତ ହତ୍ୟା, ଶୋଷଣ ଏବଂ ଦୁଷ୍କର୍ମ ଭଳି ଘଟଣାମାନ ଘଟିଚାଲିଛି । କିନ୍ତୁ କେହି ସେମାନଙ୍କ ଦୁଃଖ ଯନ୍ତ୍ରଣା କଥା ବୁଝିବାକୁ ନାରାଜ । ଶାସନ-ପ୍ରଶାସନ ଏବଂ ସମାଜ କେଉଁଠି? ନୈତିକତା କାହିଁ? କନ୍ୟା ଭୃଣ ହତ୍ୟା ଭଳି ଏକ ବିକୃତ ମାନସିକତା ସମାଜକୁ ଗ୍ରାସ କରିଛି । ଏଇଥିପାଇଁ ମୋଦି ସରକାର ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ ଦେଇଛନ୍ତି ଏବଂ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ପ୍ରଶ୍ନ ଉଠୁଛି କ’ଣ ଆଜି ବି କନ୍ୟା ସନ୍ତାନମାନଙ୍କୁ ସବୁ ସ୍ତରରେ ସୁବିଧା ସୁଯୋଗ ମିଳୁଛି? ଏବେ ଏମିତି ଏକ ସମୟ ଉପୁଜିଛି ଯେଉଁ ସମୟରେ କନ୍ୟା ସନ୍ତାନ (ନାରୀ) ସୁରକ୍ଷିତ ନୁହଁନ୍ତି । କନ୍ୟା ସନ୍ତାନମାନେ ସେମାନଙ୍କ ପୈତୃକ ସମ୍ପତ୍ତି ବାବଦରେ ମଧ୍ୟ ଅନଭିଜ୍ଞ । ପୈତୃକ ସମ୍ପତ୍ତିରେ ସେମାନଙ୍କ ହକ୍ ଅଛି ବୋଲି କହିଲେ ଅନେକ ସମାଲୋଚନାର ଶୀକାର ହେବାକୁ ପଡୁଛି ।

ମାନ୍ୟବର ଅଦାଲତ କହିଛନ୍ତି ଯେ ଝିଅ (କନ୍ୟା)ମାନଙ୍କୁ ସେମାନଙ୍କର ସମାନ ଅଧିକାରରୁ ବଞ୍ôଚତ କରାଯାଇ ପାରିବ ନାହିଁ । ୧୨୧ପୃଷ୍ଠାର ରାୟରେ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ପୁଅ ଓ ଝିଅ ସମାନ । ଉଲ୍ଲେଖ ଯୋଗ୍ୟ ଯେ ପୈତୃକ ସମ୍ପତ୍ତିର ବିଭାଜନ କୁ ନେଇ ଅନେକ ମାମଲା ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଓ ନିମ୍ନ ଅଦାଲତମାନଙ୍କରେ ଲମ୍ବିତ ହୋଇପଡ଼ିରହିଛି । ଏସବୁ ମାମଲାଗୁଡ଼ିକର ସମାଧାନ ୬ମାସ ମଧ୍ୟରେ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସଂସଦ ଆଇନ୍ ପ୍ରଣୟନ କରିଦେଲା ଓ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହାର ବ୍ୟାଖ୍ୟା କରିଦେଲେ କିନ୍ତୁ ଏହାର ସଠିକ୍ କାର୍ଯ୍ୟକାରୀତାକୁ ନେଇ ଅନେକ ପ୍ରତିବନ୍ଧକ ରହିଛି । ପ୍ରଶ୍ନ ଉଠୁଛି ଯେ ସର୍ବୋଚ୍ଚ ଅଦାଲତକୁ ୨୦୦୫ର ଆଇନ୍ ରେ ସଂଶୋଧନ ର ବ୍ୟାଖ୍ୟା କରିବାକୁ ପଡ଼ିଲା କାହିଁକି? ବାସ୍ତବରେ ଅଦାଲତଙ୍କୁ ଦୁଇଟି ବିରୋଧାଭାଷି ରାୟରୁ ସୃଷ୍ଟି ହୋଇଥିବା ସଂଶୟକୁ ଦୂର କରିବା ପାଇଁ ଏହି ବ୍ୟାଖ୍ୟା କରିବାକୁ ପଡ଼ିଲା । ୩ଜଣିଆ ଖଣ୍ଡପୀଠଙ୍କ ରାୟ ଅନୁସାରେ ଏବେ ପୈତୃକ ସମ୍ପତ୍ତିରୁ ଝିଅମାନେ ଭାଗ ପାଇବେ । ପ୍ରକୃତ ପକ୍ଷେ ହିନ୍ଦୁ ସଂପ୍ରଦାୟରେ ପୈତୃକ ସମ୍ପତ୍ତିର ମାମଲା ବହୁତ ଜଟିଳ । ଝିଅମାନଙ୍କୁ ଏଇଥିପାଇଁ ପିତାଙ୍କ ସମ୍ପତ୍ତିର ଅଧିକାର ଦିଆଯାଉନଥିଲା ଯେହେତୁ ସାମାଜିକ ବ୍ୟବସ୍ଥା ଅନୁସାରେ ଝିଅର ହକ୍ ତାର ବିବାହ ପରେ ଯୌତୁକ ଭାବରେ ଦିଆଯାଉଥିଲା ବୋଲି କୁହାଯାଉଥିଲା । ସମାଜରେ ଏକଥା ମଧ୍ୟ କୁହାଯାଇଛି ଯେ ବିବାହ ପରେ ଝିଅ ପରଗୋତ୍ରୀ । ଏଣୁ ପିତାଙ୍କ ସମ୍ପତ୍ତିରେ ତାର ଅଧିକାର ରହୁନଥିଲା । ବିବାହ ପରେ ପିତାଙ୍କ ପରିବାର ସହ ସମ୍ପର୍କ କଟି ଯାଉଥିଲା । କେବଳ ରହୁଥିଲା ଭାବନାତ୍ମକ ସମ୍ପର୍କ । ଏବେ ଅଦାଲତଙ୍କ ନିଷ୍ପତ୍ତି ପରେ ଝିଅମାନେ ହକ୍ ପାଇବେ କିନ୍ତୁ ବ୍ୟବହାରିକ ସ୍ତରରେ ଏବେବି ପୁରୁଣା ସ୍ଥିତି ରହିଛି ଓ ପିତାଙ୍କ ସମ୍ପତ୍ତିରେ ପୁତ୍ର ଅଧିକାର ସାବ୍ୟସ୍ତ କରିଆସିଛି । ଏଇ ପୁରା ପ୍ରକରଣକୁ ସାମାଜିକ ଦୃଷ୍ଟିରେ ଦେଖିବା ଆବଶ୍ୟକ । ପିତାଙ୍କ ପରିବାରର ସମସ୍ତ ଦାୟୀତ୍ୱ ପୁତ୍ର ହିଁ ନିର୍ବାହ କରିଥାଏ ଏପରିକି ପିଣ୍ଡଦାନ ପର୍ଯ୍ୟନ୍ତ । ଏଥିରେ ଝିଅମାନଙ୍କର କୌଣସି ଭୂମିକା ନାହିଁ । ଏଭଳି ଅବସ୍ଥାରେ ଝିଅର ହକ୍ କଥାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ନିଶ୍ଚୟ । ଯେପର୍ଯ୍ୟନ୍ତ ଏହାର ସାମାଜିକ ସମାଧାନ ନହୋଇପାରିଛି ସେ ପର୍ଯ୍ୟନ୍ତ ଏହି ଆଇନ୍ ଠାରୁ ଅଧିକ ଆଶା କରାଯାଇପାରିବ ନାହିଁ ।

ଏବେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ପୈତୃକ ସମ୍ପତ୍ତିରେ ସେମାନଙ୍କ ହକ୍‌କୁ ସମାଜ ଗ୍ରହଣ କରିବା ସହିତ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି । କନ୍ୟା ସନ୍ତାନ ବା ନାରୀକୁ ଜନସଂଖ୍ୟାର ଅଧା ବୋଲି କୁହାଯାଇପାରିବ ନାହିଁ କାରଣ ସେମାନେ ହିଁ ଜନସଂଖ୍ୟାର ସ୍ରଷ୍ଟା । ସେମାନେ ହିଁ ସମାଜରେ ସନ୍ତୁଳନର ରକ୍ଷାକାରୀ । ମାନ୍ୟବର ଅଦାଲତ ଅନେକ ବିଷୟକୁ ସ୍ୱତଃ ସଞ୍ଜାନକୁ ନେଇ ଏହି ରାୟ ଶୁଣାଇଛନ୍ତି । ଏହାକୁ ସ୍ୱାଗତ୍ କରାଯିବା ଆବଶ୍ୟକ ।

ରାମଚନ୍ଦ୍ରପୁର, ରଣପୁର, ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।