ଝିଅଙ୍କୁ ମୋବାଇଲ ଦେବା କଥା ନୁହେଁ କହିଲେ ମହିଳା କମିଶନ ସଦସ୍ୟ

ଲକ୍ଷ୍ନୌ : ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ମାମଲା ଓ ସରକାର ଏହାକୁ ରୋକିବାକୁ ନେଇଥିବା ପଦକ୍ଷପେ ବିଷୟରେ ମତ ଦେଇଛନ୍ତି ଉତ୍ତର ପ୍ରଦେଶ ମହିଳା କମିଶନ ସଦସ୍ୟ ମୀନା କୁମାରୀ। ସେ କହିଛନ୍ତି ଝିଅମାନଙ୍କୁ ମୋବାଇଲ ଦେବା କଥା ନୁହେଁ। ମୋବାଇଲ ଦ୍ୱାରା ସେମାନେ ପୁଅମାନଙ୍କ ସହ କଥା ହେଉଛନ୍ତି ଓ ପରବର୍ତ୍ତୀ ସମୟରେ ଫେରାର ହୋଇଯାଉଛନ୍ତି।

ସେ କହିଛନ୍ତି ମୁଁ ସମସ୍ତ ବାପାମା’ଙ୍କୁ ନିବେଦନ କରିବାକୁ ଚାହେଁ ସେମାନେ ନିଜର ଝିଅମାନଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ଯଦି ସେମାନେ ମୋବାଇଲ ଦେଉଛନ୍ତି ତା’ହେଲେ ଏହାକୁ ନିୟମିତ ଚେକିଂ କରନ୍ତୁ। ଏସବୁ ମହିଳା ବିରୋଧୀ ଅପରାଧ ମା’ ମାନଙ୍କ ଅବହେଳା ଯୋଗୁ ଘଟୁଛି।

ସେ ଆହୁରି କହିଛନ୍ତି ଆମେ ବାପା ମା’ ଓ ସମାଜ ହିସାବରେ ଝିଅର ଚାଲିଚଳନ ଉପରେ ନଜର ରଖିବା କଥା। ସବୁବେଳେ ସେମାନେ କୁଆଡ଼େ ଯାଉଛନ୍ତି। କେଉଁ ପୁଅ ସହ ବସୁଛନ୍ତି ତା’କୁ ଯାଞ୍ଚ କରିବା ଉଚିତ। ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ମୀନା କୁମାରୀଙ୍କ ଏପରି ବୟାନକୁ ନେଇ ବିବାଦ ସୃଷ୍ଟି କରିଛି। ବିବାଦ ବଢ଼ିବାରୁ ସେ ସ୍ପଷ୍ଟୀକରଣ ଦେଇଛନ୍ତି।

ସେ କହିଛନ୍ତି ମୋ ବିବୃତ୍ତିକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୋ କହିବାର କଥା ଥିଲା ବାପା ମା’ମାନେ ସେମାନଙ୍କ ଝିଅ ମୋବାଇଲରେ ପାଠ ପଢ଼ୁଛି ନା ଆଉ କିଛି କରୁଛି ତା’ର ଯାଞ୍ଚ କରନ୍ତୁ। ମୁଁ କେବେ ହେଲେ କହି ନାହିଁ ଝିଅମାନେ ଯଦି ମୋବାଇଲ ଫୋନ ବ୍ୟବହାର କରି ପୁଅମାନଙ୍କ ସହ ଫେରାର ହୋଇଯାଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button