ଜୀବିତ ହିତାଧିକାରୀଙ୍କୁ ମୃତ ଘୋଷଣା : ବାର୍ଦ୍ଧକ୍ୟ ଭତ୍ତା ବନ୍ଦ

ସମ୍ବଲପୁର : ଉଚ୍ଚକାପାଟ ପଞ୍ଚାୟତ କେଛୁପାଣିର ଗରିବ ଅସହାୟ ବୃଦ୍ଧ ଅଲେଖ ସାହୁଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ୫ କେଜି ଚାଉଳ ମିଳୁଥିଲା। ପତ୍ନୀଙ୍କ ଦେହାନ୍ତ ପରେ ତାଙ୍କର ଦେଖାଶୁଣା କରୁଛନ୍ତି ଝିଅ ଓ ଜ୍ୱାଇଁ। ଗତ ନଭେମ୍ବରରେ ଘର ଅଗଣାରେ ପଡ଼ି ଅଲେଖଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ସେହିଦିନଠାରୁ ସେ ଶଯ୍ୟାଶାୟୀ। ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଓ ଚାଉଳ ମିଳିଥିଲା। ହେଲେ ଆଉ ମିଳୁନି। ଅଲେଖ ବଞ୍ଚିଥିଲେ ହେଁ ତାଙ୍କୁ ମୃତ ବୋଲି ଘୋଷିତ କରାଯାଇଥିବା ଅଭିଯୋଗ ହୋଇଛି।
ଅଲେଖ ଜୀବିତ ଥିବା ଜ୍ୱାଇଁ ଲଳିତ ମୋହନ ସାହୁ ଓ କେତେକ ଗ୍ରାମବାସୀ ସରପଞ୍ଚ ଓ ପିଇଓଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟକୁ ଏନେଇ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି। ସରପଞ୍ଚ କହୁଛନ୍ତି ଭୁଲରେ ମୃତ ବୋଲି ଖାତାରେ ଚଢ଼ି ଯାଇଛି। ତାଙ୍କ ଭତ୍ତା ପଇସା ହେରଫେର ହୋଇ ନାହିଁ। ଭତ୍ତା ବକେୟା ରାଶି ନେଇଯିବାକୁ କୁହାଯାଇଥିଲେ ମଧ୍ୟ ସେ ଆସୁନାହାନ୍ତି।