ଜିଏସଟି ସଂଶୋଧନ ଓ ପଶ୍ଚିମବଙ୍ଗ ସୀମା ସେତୁକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର : ଜିଏସଟି ଆଇନରେ ସଂଶୋଧନ ପାଇଁ ୨ଟି ଅଧ୍ୟାଦେଶ ଓ ପଶ୍ଚିମବଙ୍ଗ ସୀମାରେ ଏକ ସେତୁ ନିର୍ମାଣ ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ ଦେଇଛି।

ମଙ୍ଗଳବାର ଭିଡିଓ କନଫରେନ୍ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ। ସେ କହିଛନ୍ତି ଜିଏସଟି କାଉନସିଲର ସୁପାରିସ୍ ଆଧାରରେ ରାଜ୍ୟ ସରକାର ଓଡ଼ିଶା ଜିଏସଟି ଅଧିନିୟମ-୨୦୧୭ର କେତେକ ଧାରାରେ ସଂଶୋଧନ କରିଛନ୍ତି। ଓଡ଼ିଶା ଜିଏସଟି(ସଂଶୋଧନ) ଅଧ୍ୟାଦେଶ-୨୦୨୦ ଓ ଓଡ଼ିଶା ଜିଏସଟି (ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ଅଧ୍ୟାଦେଶ ଲାଗୁ ହେବାପରେ ପଞ୍ଜିକୃତ ଟିକସ ଦାତାମାନେ ଉପକୃତ ହେବେ। ଟ୍ୟାକ୍ସ ପ୍ରଶାସକମାନେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପ ତୁଲାଇପାରିବେ। ସେହିପରି କୌଣସି ବ୍ୟକ୍ତି ବିନା ଇନଭଏସରେ ଜିଏସଟି ଯୋଗାଉଥିବେ ଓ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଗ୍ରହଣ ବା ବିନିଯୋଗ କରୁଥିବେ ତାଙ୍କଠାରୁ ଠକିଥିବା ଟିକସର ସମ ପରିମାଣର ଜରିମାନ ଆଦାୟ କରାଯିବ।

ସେହିପରି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ବାଲେଶ୍ୱର ଜିଲ୍ଲାର ଜାତୀୟ ରାଜପଥ-୧୬ର ହଳଦୀପଡ଼ାଠାରୁ ଭାୟା ବାଲିଆପାଳ, ପନ୍ତେଇ ଓ ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ ସୀମା ସୁବର୍ଣ୍ଣରେଖା ନଦୀ ଉପରେ ଏକ ବୃହତ୍ ବ୍ରିଜ୍ ନିର୍ମାଣ କରାଯିବ। ଏହାଦ୍ଵାରା ବାଲିଆପାଳ ଓ ଭୋଗରାଇ ବ୍ଲକ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ। ସୁବର୍ଣ୍ଣରେଖା ମାଉଥ୍ ପୋର୍ଟ, ଚନ୍ଦନେଶ୍ୱର, ଭୁଷଣ୍ଡେଶ୍ୱର ଆଦି ଅର୍ଥନୀତିକ ଓ ସାଂସ୍କୃତିକ ସ୍ଥାନଗୁଡ଼ିକୁ ସଂଯୋଗ ହୋଇପାରିବ। ଆଉ ଦୂରତ୍ୱ ମଧ୍ୟ ହ୍ରାସ ପାଇବ। ଏହି ସେତୁର ନିର୍ମାଣ ୩୦ମାସ ମଧ୍ୟରେ ଶେଷ ହେବ। ୧୩୮.୭୪ କୋଟି ଟଙ୍କା ବ୍ୟୟ ହେବ।

ଏହାବ୍ୟତୀତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ-୧୯୪୮ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମର ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଘଂନକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଓ ସମୟୋଚିତ ଭାବେ ନୋଟିସ୍ କିମ୍ବା ନିର୍ଦ୍ଦେଶ ଜାରି କରିବା ବ୍ୟବସ୍ଥା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିଲା। କାରଣ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ବିଭିନ୍ନ ସମୟରେ ବଦଳି ହେଉଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନୋଟିସ୍ ଜାରି ହୋଇପାରୁନଥିଲା। ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି ରାଜ୍ୟ ସରକାରଙ୍କ ଏଚଆରଏମସ ପୋର୍ଟାଲରେ ଏଣିକି ନୋଟିସ୍ ଜାରି କରାଯିବ।

ମତାମତ ଦିଅନ୍ତୁ ।