ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ

ଭୁବନେଶ୍ୱର : ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କର ଆଜି ଏକ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଦଳର ଜିଲ୍ଲା ମୁଖ୍ୟମାନଙ୍କୁ ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି।

କଂଗ୍ରେସ ପ୍ରଭାରୀ ଡ. ଏ.ଚେଲାକୁମାର ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ କହିଛନ୍ତି ଆପଣମାନେ ଜିଲ୍ଲାର ଜଣେ ଜଣେ ଟାଣୁଆ ସଂଗଠକ। ଆପଣମାନେ ଦଳକୁ ଆହୁରି ସକ୍ରୀୟ ଓ ସୁଦୃଢ଼ କରିପାରିଲେ କଂଗ୍ରେସ ଦଳ ଆଗାମୀ ଦିନରେ ଶାସନ କ୍ଷମତାକୁ ଆସି ପାରିବ। ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କୁ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଂଚାଇ ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ବିଧାୟକ ତଥା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ, ରମେଶ ଜେନା, ଦାଶରଥି ଗମାଙ୍ଗ, ଜର୍ଜ ତିର୍କୀ, ମାନସ ଚୌଧୁରୀ, ଅଂଶୁମାନ ମହାନ୍ତି, ମୀନାକ୍ଷୀ ବାହିନୀପତି, ଗିରିବାଳା ବେହେରା, ବିଶ୍ୱଜିତ୍ ଦାସ, ଅଜିତ ମଙ୍ଗରାଜ, ମନୋରଞ୍ଜନ ତ୍ରିପାଠୀ, ହେମନ୍ତ ଦାସ, ନିହାର ମହାନନ୍ଦ, ସୁବ୍ରତ ଦାସ, ଦିଲ୍ଲୀପ କୁମାର ବେହେରା, ନବକୁମାର ମିଶ୍ର, ସରୋଜ ପଟ୍ଟନାୟକ, ଭରତ ଅୱସ୍ତି, ଭାରତଭୂଷଣ ବେମାଲ, ଗୋବିନ୍ଦ ପାତ୍ର, ଘାସିରାମ ମାଝୀ, ରଂଜିତ ଦାସ, ଦୁର୍ଗାପ୍ରସାଦ ପଣ୍ଡା, ଗୌରିଶଙ୍କର ପଣ୍ଡା, ବେଣୁମାଧବ ତ୍ରିପାଠୀ ପ୍ରମୁଖ ଜିଲ୍ଲା କଂଗ୍ରେସ ସଭାପତିମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ବିଶିଷ୍ଟ କଂଗ୍ରେସ ନେତା ସ୍ୱର୍ଗତ ଗୁରୁପଦ ନନ୍ଦ ଓ ସ୍ୱର୍ଗତ ହରମୋହନ ଦାସଙ୍କ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଦିବଂଗତ ନେତାଦ୍ୱୟଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ମତାମତ ଦିଅନ୍ତୁ ।