ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନର ଅଭାବ ଦେଖାଦେଇଥିବାରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱବଧାନରେ ତିଆରି ହେବାକୁ ଥିବା ଏହି ଅକ୍ସିଜେନ ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡ ଯୋଗାଇଦେବ।

ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ହୋଇଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ଯଥାଶୀଘ୍ର ତିଆରି ହୋଇ କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟ ହସ୍ପିଟାଲର ଦୈନନ୍ଦନ ଆବଶ୍ୟକ ପଡ଼ୁଥିବା ଅକ୍ସିଜେନ ସମେତ ଜିଲ୍ଲାରେ ଆବଶ୍ୟକ ଅକ୍ସିଜେନର ଅଭାବକୁ ଦୂର କରିବ।

ଚଳିତ ବର୍ଷ ପ୍ରାରମ୍ଭରେ ଦେଶରେ ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପିଏମଓ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଆବଣ୍ଟନ କରାଯାଇଛି। ହେଲେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବାରୁ ବିଭିନ୍ନ ରାଜ୍ୟର ହସ୍ପିଟାଲ ଗୁଡ଼ିକରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାରେ ଶୀଥିଳତା ଦେଖାଦେଇଥିଲା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଦେଶର ୭୪୧ଟି ଜିଲ୍ଲା ରହିଥିବା ବେଳେ ଏବେ ୫୫୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏଥିସହ ବିଭିନ୍ନ ଶିଳ୍ପାନୁଷ୍ଠାନରେ ତିଆରି ହେଉଥିବା ଅକ୍ସିଜେନ ଆଗାମୀ ଦିନରେ ଦେଶରେ ଆବଶ୍ୟକତାକୁ ପୂରଣ କରିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁଖ୍ୟତଃ ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦେଶର ସ୍ୱାସ୍ଥ୍ୟାବସ୍ଥା ଭିତ୍ତିଭୂମି ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାରୁ ସମସ୍ତ ହସ୍ପିଟାଲରେ ଅକ୍ସିଜେନ ଯୋଗାଇବା କେନ୍ଦ୍ର ସରକାର ପାଇଁ କାଠିକର ହେବାରେ ଲାଗିଛି। ଏବେ ଚାହିଦା ତୁଳନାରେ ଅକ୍ସିଜେନର ଅଭାବ ଥିବାରୁ ଇଣ୍ଡୋନେସିଆ, ଋଷିଆ, ସାଉଦି ଆରବ ଏବଂ ଅନ୍ୟାନ୍ୟ ଦେଶରୁ ଭାରତ ଅକ୍ସିଜେନ ଆମଦାନୀ କରୁଛି। ଏଥିସହ ଜର୍ମାନୀରୁ ପୋର୍ଟେବୁଲ ଅକ୍ସିଜେନ ପ୍ଲାଣ୍ଟ ଭାରତ ଆଣିବ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ଲାଣ୍ଟ ହସ୍ପିଟାଲ ବାହାରେ ରଖାଯାଇ ଅକ୍ସିଜେନ ତିଆରି କରିପାରିବ।

Leave a Reply

Your email address will not be published. Required fields are marked *

Back to top button