ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ସ୍ୱାସ୍ଥ୍ୟସେବାର ତଦାରଖ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର : ରାଜ୍ୟ ସରକାର ଫାଇଭ-ଟି ନୀତି ଅବଲମ୍ବନ କରି ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ଯୋଗାଇବା ସହ ସ୍ୱାସ୍ଥ୍ୟସେବାରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଜିଲ୍ଲା ଓ ବ୍ଲକସ୍ତରର ଅଧିକାରୀମାନଙ୍କୁ ଚିକିତ୍ସା ସେବା ଉପରେ ଗୁରୁତ୍ୱ ଦେବାକୁ ବଣ୍ଟା ଯାଇଛି ଦାୟିତ୍ୱ। ଏଣିକି ଅଭିଯୋଗ ସମାଧାନ ଓ ମୋ’ସରକାର ଫିଡବ୍ୟାକକୁ ଗୁରୁତ୍ୱ ଦିଆଯିବ।

ଗୁରୁବାର ସ୍ୱାସ୍ଥ୍ୟ ଓ ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱାସ୍ଥ୍ୟ ସେବା କେବଳ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡ଼ିତ ଅଧିକାରୀମାନଙ୍କର ଦାୟିତ୍ୱ ନୁହେଁ। ସବୁ କ୍ଷେତ୍ରର ମିଳିତ ସହଯୋଗର ଆବଶ୍ୟକତା ରହିଛି। ସାନିଟାଇଜେସନ, ନ୍ୟୁଟ୍ରିସନ୍ ଓ ସ୍ୱଚ୍ଛ ପାନୀୟ ଜଳ ଆଦି ସହ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ପ୍ରଦାନର ଲକ୍ଷ୍ୟକୁ ହାସଲ କରିହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଭାବୀ ଢଙ୍ଗରେ ସ୍ୱାସ୍ଥ୍ୟ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ସେବାର ପ୍ରତ୍ୟେକଟି ସ୍ତରରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବାର ଆବଶ୍ୟକତା ରହିଛି।

ସେଥିପାଇଁ ଜିଲ୍ଲାପାଳ ଓ ପୋଲିସ ଏସପିଙ୍କ ଦାୟିତ୍ୱରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ (ଡିଏଚଏଚ) ରହିବ। ସବ୍‌ଡିଭିଜନ ହସ୍ପିଟାଲ ଦାୟିତ୍ୱରେ ସବକଲେକ୍ଟର ଓ ଏସଡିପିଓ ରହିବେ। ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସମନ୍ୱିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ସ୍ଥାନୀୟ ବିଡିଓ ଓ ଥାନା ଅଧିକାରୀ ରହିବେ। ଏହି ଅଧିକାରୀମାନେ ନିୟମିତ ଭାବେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲାଇନ ବିଭାଗର ଅଧିକାରୀମାନଙ୍କୁ ଧରି ହସ୍ପିଟାଲ ପରିଚାଳନାର ସମୀକ୍ଷା, ତଦାରଖ ଓ ତା’ର ବିକାଶ କାର୍ଯ୍ୟ କରିବେ। ସରକାରଙ୍କ ପ୍ରମୁଖ ଯୋଜନା ଯଥା-ମାଗଣା ଔଷଧ, ମାଗଣା ପରୀକ୍ଷା, ଡାଏଲେସିସ୍ ସେବା, ବିଏସକେୱାଇ ଯୋଜନାର ତଦାରଖ ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ଅନ୍ତର୍ଗତ ଅର୍ଥ ବଣ୍ଟନ କରାଯାଉଛି କି ନାହିଁ ତାହା ଦେଖିବେ।

ସେହିପରି ହସ୍ପିଟାଲରେ ପରିଚ୍ଛନ୍ନତା, ଲଣ୍ଡ୍ରିଂ ସର୍ଭିସ, ସିକ୍ୟୁରିଟି, ଡାଏଟ୍‌, ଆମ୍ବୁଲାନ୍ସ ସେବା, କାୟାକଳ୍ପ, ଲକ୍ଷ୍ୟ, ଏନକ୍ୟୁଏଏସ୍ ଆଦି ଗୁଣାତ୍ମକ ମାନ ପ୍ରମାଣୀକରଣର ଆକଳନ, ଜାରି ରହିଥିବା କାର୍ଯ୍ୟର ଅଗ୍ରଗତି ଓ ଭିତ୍ତିଭୂମି ଆବଶ୍ୟକତା, ଜିଲ୍ଲା ହସ୍ପିଟାଲରେ ୧୭ ପ୍ରକାରର, ସବଡିଭିଜନ ହସ୍ପିଟାଲରେ ୮ ପ୍ରକାରର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ପ୍ରକାରର ସ୍ପେଶାଲିଷ୍ଟ ଚକିତ୍ସା ସେବା ଉପଲବ୍ଧ କରାଯିବ। ଜିଲ୍ଲା ସ୍ୱାସ୍ଥ୍ୟ ସୋସାଇଟି ଓ ରୋଗୀକଲ୍ୟାଣ ସମିତିର ନିୟମିତ ବୈଠକ କରିବା, ଜିଲ୍ଲାସ୍ତରରେ ଅନ୍ୟ ଯେକୌଣସି ପାଣ୍ଠିରୁ ସମ୍ବଳ ସଂଗ୍ରହ, ସ୍ୱାସ୍ଥ୍ୟ ସେବାରେ ଆଇନଶୃଙ୍ଖଳା ସ୍ଥିତିର ପରିଚାଳନା ଆଦି କାର୍ଯ୍ୟ ଜିଲ୍ଲାସ୍ତରର ଅଧିକାରୀମାନେ ଏଣକି ହସ୍ପିଟାଲ ଗୁଡ଼ିକ ସହ ମିଶି କରିବେ।

Leave a Reply

Your email address will not be published. Required fields are marked *

Back to top button