ଯୋଗାଣ ନେଟ୍‌ୱାର୍କ ଲାଗି ଏକମାତ୍ର ଉତ୍ସ ଉପରେ ନିର୍ଭର କରିବା ବିପଜ୍ଜନକ : ମୋଦି

ନୂଆଦିଲ୍ଲୀ : ଭାରତ ଓ ଡେନ୍‌ମାର୍କ ମଧ୍ୟରେ ଅନୁଷ୍ଠିତ ଭର୍ଚ୍ୟୁଆଲ୍‌ ଦ୍ଵିପାକ୍ଷିକ ଶିଖର ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍‌କୁ ପରୋକ୍ଷ ଆକ୍ଷେପ କରିଛନ୍ତି। ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟର୍ ଫ୍ରେଡେରିକ୍‌ସନ୍‌ଙ୍କୁ ସେ କହିଛନ୍ତି କୋଭିଡ୍-୧୯ ଆମକୁ ଦର୍ଶାଇ ଦେଇଛି ଗୋଟିଏ ଉତ୍ସ ଉପରେ ଯୋଗାଣ ଶୃଙ୍ଖଳ ବା ନେଟ୍‌ୱାର୍କ ନିର୍ଭରଶୀଳ ବିପଜ୍ଜନକ। ସେଥିପାଇଁ ନାନାବିଧ ଓ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳ ଲାଗି ଆମେ ଜାପାନ ଓ ‌ଅଷ୍ଟ୍ରେଲିଆ ସହ କାମ କରୁଛୁ। ଅନ୍ୟ ସମଭାବାପନ୍ନ ଦେଶମାନେ ଏଥିରେ ଯୋଗଦେଇ ପାରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମେଟର୍ ଫ୍ରେଡେରିକ୍‌ସନ୍‌ ଦ୍ଵିତୀୟ ଜ୍ଞାନବିଜ୍ଞାନ ଶିଖର ବୈଠକ ଆୟୋଜନ ଲାଗି ଦେଇଥିବା ପ୍ରସ୍ତାବକୁ ମୋଦି ସ୍ଵାଗତ କରିଛନ୍ତି।

ସୂଚନାଯୋଗ୍ୟ ଭାରତ ଓ ଡେନ୍‌ମାର୍କ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ କରୁଥିବା ଶକ୍ତିମାନଙ୍କ ସହ ଯୋଗ ଦେଇଛନ୍ତି। ଗତ କେତେମାସ ହେବ ଏଲ୍‌ଏମ୍ ଉଇଣ୍ଡ୍‌, ହଲଡୋର ଟୋପ୍‌ସୋ ଓ ନୋଭୋଜାଇମ୍ ସମେତ କେତେକ ଡେନ୍‌ମାର୍କ କମ୍ପାନି ‘ମେକ୍ ଇନ୍ ଇଣ୍ଡିଆ’ ଉପକ୍ରମ ଜରିଆରେ ଭାରତରେ କାରଖାନାମାନ ସ୍ଥାପନ କରୁଛନ୍ତି।

ମତାମତ ଦିଅନ୍ତୁ ।