ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପର ହେବା ଆବଶ୍ୟକ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷଠାରୁ ଯୋଜନାରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପରାତା ପ୍ରକାଶ କରନ୍ତୁ। ଏଥି ସହିତ ୫-‘ଟି’ ଅନୁସାରେ ସମସ୍ତ ଯୋଜନାକୁ ଠିକ୍‌ ସମୟରେ ସ୍ୱଚ୍ଛତା ଅବଲମ୍ବନ କରି କାର୍ଯ୍ୟକାରୀ କରିବା ସହିତ ସମସ୍ତ ତଥ୍ୟ ନିର୍ଦ୍ଦେଶାଳୟ ଓ ସରକାରୀ ୱେବସାଇଟ୍‌ରେ ଉପଲବ୍ଧ କରିବା ପାଇଁ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର କୃଷି ଭବନଠାରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ଡ. ସାହୁ। ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ସେ କହିଲେ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ସଠିକ୍‌ ଭାବରେ ରୂପାୟନ କରି ଚାଷୀମାନଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ଆବଶ୍ୟକ। ଚାଷୀମାନଙ୍କ ହିତ ନିମନ୍ତେ ଜିଲ୍ଲାରେ ଅଏଲ୍‌ ପାମ୍‌ ଯୋଜନାକୁ ତତ୍ପରତାର ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଗଂଜାମ ଜିଲ୍ଲାରେ କିଆ ଫୁଲର ଅଧିକ ଉତ୍ପାଦନ ଓ ଏହାର ବିପଣନ ଦିଗରେ ଅଧିକ ଧ୍ୟାନ ଦେବା ଏବଂ ନଡ଼ିଆ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଅଧିକରୁ ଅଧିକ ନଡ଼ିଆ ଚାରା ଉତ୍ପନ୍ନ କରି ଚାଷୀମାନଙ୍କୁୁ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ।

ଏତଦ୍‌ବ୍ୟତୀତ ଏସବୁ ଜିଲ୍ଲାଗୁଡ଼ିକରେ ପଣସ, ଜାମୁ, ବେଲ, ଅଁଳା ଆଦିର ବ୍ୟାପକ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ଉପରେ ଉଦ୍ୟାନ କୃଷି ବିଭାଗ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯାହାଦ୍ୱାରା ଚାଷୀମାନେ ଲାଭବାନ ହୋଇପାରିବେ। ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ଉତ୍ପାଦିତ ପିଆଜର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଉପଲବ୍ଧ ସୁବିଧା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ ଦ୍ୱିତୀୟ ଲହରି କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀମାନେ ସମସ୍ତ କୋଭିଡ୍‌ ସତର୍କତା ପାଳନପୂର୍ବକ କୃଷକମାନଙ୍କ ସେବାରେ ନିୟୋଜିତ ହେବାକୁ କହିଥିଲେ।

ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାଗୁଡ଼ିକରେ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button