ଯୋରନ୍ଦା ମେଳା : କୋଭିଡ୍ ପାଇଁ ସାଧୁସନ୍ଥଙ୍କୁ ଗାଦି ମନା

ଭୁବନେଶ୍ଵର : କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ଢ଼େଙ୍କାନାଳର ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ଉତ୍ସବ ଯୋରନ୍ଦା ମେଳା। ମହିମା ଧର୍ମର ପରମ୍ପରା ଅନୁସାରେ ଗୁରୁବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ମେଳାକୁ ନୀତିକାନ୍ତିରେ ମହିମା ଧର୍ମର ସାଧୁମାନେ ପାଳନ କରିବେ। ପରମ୍ପରା ଅନୁସାରେ ମୁଖ୍ୟ ଗାଦୀ ମନ୍ଦିରର ଚାରି ଦ୍ୱାରରେ ସନ୍ଧ୍ୟା ପରେ ଝାଡ଼ବତୀ ପ୍ରଜ୍ବଳନ କରିବେ ମହିମା ସାଧୁମାନେ।
ଜଗତର କଲ୍ୟାଣ ପାଇଁ ଝାଡ଼ବତୀରେ ଘୃତାହୁତି କରିବେ ମହିମା ସାଧୁ। ଏଥିପାଇଁ ଭଣ୍ଡାର ଘରୁ ସମସ୍ତ ଉପକରଣ ଗାଦୀ ମନ୍ଦିରକୁ ଆଣାଯାଇଛି। ସାଧାରଣ ଦର୍ଶନ ପାଇଁ ଗାଦୀ ମନ୍ଦିର ପରିସରରେ ସୁନାର ଛତି, ତରାସ ଆଦି ସମସ୍ତ ସୁନା ରୂପାର ସାମଗ୍ରୀ ସବୁ ପରଦର୍ଶନ କରାଯାଇଛି। ଫଳରେ ଆଜି ଭୋର ସମୟରୁ ଗାଦୀର ମହିମାସାଧୁ ମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି। ତେବେ କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀକୁ ସମ୍ପୂର୍ଣ୍ଣ ବାରଣ କାରାଯାଇଛି। ଫଳରେ ମୁଖ୍ୟ ଗାଦୀ ମନ୍ଦିରଠୁ ଆରମ୍ଭ କରି ମେଳା ପଡିଆ ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ପରିବେଶ ରହିଛି।