ଯୌନ ନିର୍ଯାତନା ପାଇଁ ‘ଲେଡି ସିଙ୍ଘମ’ଙ୍କ ଆତ୍ମହତ୍ୟା

ମୁମ୍ବାଇ : ମହାରାଷ୍ଟ୍ରର ମହିଳା ଜଙ୍ଗଲ ଅଧିକାରୀ ଦୀପାଳି ଚୌହାନ ମୋହିତେ ଆତ୍ମହତ୍ୟା କରିଛନ୍ତି। ଉପରିସ୍ଥ ଅଧିକାରୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଓ ମାନସିକ ନିର୍ଯାତନା କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ୍ ନୋଟରେ ଦୀପାଳି ଉଲ୍ଲେଖ କରିଛନ୍ତି।
ଖବର ଅନୁଯାୟୀ ନିଜର ରୁକ୍ଷ ଓ କଠୋର ବ୍ୟବହାର ପାଇଁ ଜଙ୍ଗଲ ମାଫିଆଙ୍କ ନିକଟରେ ‘ଲେଡି ସିଙ୍ଘମ୍’ ଭାବେ ପରିଚିତ ଥିଲେ ଦୀପାଳି। ଅମରାବତୀର ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ସେ ରେଞ୍ଜ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଅଭୟାରଣ୍ୟ ନିକଟ ହରିଶାଳ ଗ୍ରାମରେ ଥିବା ସରକାରୀ କ୍ୱାର୍ଟସରେ ଦୀପାଳି ଗୁରୁବାର ରାତିରେ ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।
ଦୀପାଳିଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖଲଧାରା ଟ୍ରେଜେରି ଅଫିସର ଭାବେ କାର୍ଯ୍ୟ କରନ୍ତି। ଘଟଣା ଦିନ ସେଠାରେ ରହୁଥିବା ଦୀପାଳିଙ୍କ ମା’ ସତାରା ଚାଲିଯାଇଥିଲେ। ଘରେ କେହି ନଥିବା ସମୟରେ ଦୀପାଳି ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ନିକଟରୁ ଏକ ୪ ପୃଷ୍ଠାର ସୁଇସାଇଡ୍ ନୋଟ ମିଳିଛି। ସେଥିରେ ଉପ ଜଙ୍ଗଲ ସଂରକ୍ଷକ ବିନୋଦ ଶିବକୁମାର ତାଙ୍କୁ କିଭଳି ଶାରୀରିକ, ମାନସିକ ଓ ଯୌନ ନିର୍ଯାର୍ତନା ଦେଉଥିଲେ ତାହା ଉଲ୍ଲେଖ କରିଛନ୍ତି।
ଦୀପାଳି ଲେଖିଛନ୍ତି ବିନୋଦ ଶିବକୁମାର ଅନେକ ସମୟରେ ମଦ୍ୟପାନ କରି ଅଫିସକୁ ଆସି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରନ୍ତି। ସେ ମନା କରିବାରୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଅନ୍ତି। ଏପରିକି ଗୋଟିଏ ମାସର ଦରମା ବନ୍ଦ କରିଦେଇଥିଲେ। କେବଳ ସେତିକି ନୁହେଁ ଗର୍ଭବତୀ ଥିବା ଜାଣିବା ପରେ ମଧ୍ୟ ଶିବକୁମାର ତାଙ୍କୁ ତିନିଦିନ ଜଙ୍ଗଲରେ ବୁଲାଇବା, ଚାଲିବା ଓ ଗାଡି ଚଳାଇବାରେ ଲଗାଇଥିଲେ। ଯାହାଫଳରେ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା। ଏଥିପାଇଁ ସେ ଗଭୀର ମାନସିକ ଆଘାତ ପାଇଥିଲେ।
ଏ ସମସ୍ତ ବିଷୟ କ୍ଷେତ୍ର ନିର୍ଦ୍ଦେଶକ ଏମ୍.ଏସ୍. ରେଡ୍ଡୀଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତେଣୁ ନିର୍ଯାତନା ଅସହ୍ୟ ହେବାରୁ ସେ ବାଧ୍ୟହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦୀପାଳି ସୁଇସାଇଡ ନୋଟ୍ରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ପରେ ବେଙ୍ଗାଲୁରୁ ଯିବାକୁ ନାଗପୁର ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲା ଶିବକୁମାରଙ୍କୁ ଅମରାବତୀ ପୋଲିସ ଗିରଫ କରିଛି।