ଯୌନାଙ୍ଗରୁ ସ୍ୱାବ୍‌ ସଂଗ୍ରହ କରି ଟେକ୍ନିସିଆନ ଗିରଫ

ମୁମ୍ବାଇ : କରୋନା ପରୀକ୍ଷା ପାଇଁ ଜଣେ ମହିଳାଙ୍କ ଯୌନାଙ୍ଗରୁ ନମୁନା ସଂଗ୍ରହ କରି ଗିରଫ ହୋଇଛି ଲାବୋରେଟୋରୀ ଟେକ୍ନିସିଆନ। ଏହି ଘଟଣା ପମହାରାଷ୍ଟ୍ରର ଅମରାବତୀରେ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଅମରାବତୀର ଏକ ମଲରେ କାର୍ଯ୍ୟ କରୁଥିବା ଜନୈକା ୨୪ ବର୍ଷୀୟା ମହିଳା ତାଙ୍କ ସହକର୍ମୀ କରୋନା ପଜିଟିଭ୍‌ ରୂପେ ଚିହ୍ନଟ ହୋଇଥିଲେ। ସେମାନେ ନମୁନାର ପରୀକ୍ଷା କରାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା କୋଭିଡ ଟ୍ରମା ସେଣ୍ଟର ଲ୍ୟାବକୁ ଯାଇଥିଲେ। ସେଠାରେ ଲ୍ୟାବ ଟେକ୍ନିସିଆନ ତାଙ୍କୁ କହିଥିଲେ କୋଭିଡ୍‌-୧୯ର ସଠିକ୍‌ ପରୀକ୍ଷା ପାଇଁ ଗୁପ୍ତାଙ୍ଗରୁ ସ୍ୱାବ ନେବା ଜରୁରୀ। ତେଣୁ ଗୁପ୍ତାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ କରିଥିଲେ।

ଏହି ଘଟଣା ପରେ ମହିଳା ଜଣକ ତାଙ୍କ ଭାଇଙ୍କ ସହ କରୋନା ନମୁନା ପରୀକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଡାକ୍ତରଙ୍କୁ ଏ ବିଷୟରେ ପଚାରିି ବୁଝିଥିଲେ। କିନ୍ତୁ ଡାକ୍ତର କହିଥିଲେ କରୋନା ପାଇଁ ସେପରି କୌଣସି ପରୀକ୍ଷା ନାହିଁ। ତେଣୁ ମହିଳା ଜଣକ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଲ୍ୟାବ୍‌ ଟେକ୍ନିସିଆନଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର ଏ ସଂପର୍କରେ ଜାଣିବା ପରେ ଉଦ୍‌ବେଗ ପ୍ରକାଶ କରିବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।