କାବୁଲ ବିଶ୍ଵବିଦ୍ୟାଳୟରେ ଆକ୍ରମଣ : ୧୯ ଛାତ୍ର ନିହତ, ୨୨ ଆହତ

କାବୁଲ : କାବୁଲ ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୯ ଛାତ୍ରଙ୍କର ମୃତ୍ୟୁ ଘଟିଛି। ୨୨ଜଣ ଆହତ ହୋଇଛନ୍ତି। ଏପରି ଜଘନ୍ୟ ଘଟଣା ଘଟାଇଥିବା ୩ ବନ୍ଧୁକଧାରୀ ନିରାପତ୍ତା ବଳଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ଗୁଳି ଚଳନା ଯୋଗୁ ଶିକ୍ଷାର୍ଥୀମାନେ ସହର ଆଡକୁ ଧାଇଁଥିଲେ। ଏହି ସମୟରେ ଆକ୍ରମଣକାରୀମାନ‌େ ସେମାନଙ୍କ ଉପରକୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲେ।

ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍ସ’କୁ ଫତୁଲ୍ଲା ମୋରାଦି ନାମକ ଜଣେ ପ୍ରତ୍ୟକ୍ଷ୍ୟଦର୍ଶୀ କହିଛନ୍ତି ଯେଉଁ ଶିକ୍ଷାର୍ଥୀ ଦୃଷ୍ଟିରେ ପଡ଼ିଲା ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଲେ। ଦଳେ ସାଙ୍ଗଙ୍କ ଗହଣରେ ମୁଁ ବିଶ୍ଵବିଦ୍ୟାଳୟର ଗୋଟାଏ ଫାଟକ ଦେଇ ଖସି ପଳାଇ ଆସିଲି। କାବୁଲ ବିଶ୍ଵବିଦ୍ୟାଳୟ ଆୟୋଜନ କରିଥିବା ପୁସ୍ତକମେଳାରେ ଇରାନୀୟ ରାଷ୍ଟ୍ରଦୂତ ଯୋଗ ଦେଇଥିବା ସମୟରେ ଆକ୍ରମଣକାରୀମାନେ ଏହି ଗୁଳିକାଣ୍ଡ ଘଟାଇଛନ୍ତି।

ଗୁଳିଚାଳନା ପରେ ସମ୍ପୃକ୍ତ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏହି ଆକ୍ରମଣରେ ଅନ୍ୟୂନ ୧୯ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଗୃହମନ୍ତ୍ରାଳୟର ମୁଖପାତ୍ର ତାରିକ ଆରିଆନ୍ କହିଛନ୍ତି ତିନିଜଣ ଆକ୍ରମଣକାରୀ ବିଶ୍ଵବିଦ୍ୟାଳୟ ପରିସରକୁ ପ୍ରବେଶ କରି ନିରାପତ୍ତା ବଳଙ୍କ ସହ ଲଢ଼େଇ କରିଥିଲେ। ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ତାଲିବାନ କହିଛି ଏହି ଆକ୍ରମଣରେ ତାଙ୍କ ସୈନିକମାନ‌େ ସମ୍ପୃକ୍ତ ନୁହନ୍ତି। ଏଥିପାଇଁ ଅନ୍ୟ କୌଣସି ସଙ୍ଗଠନ ନିଜକୁ ଦାୟୀ ବୋଲି ଦାବି କରିନାହାନ୍ତି।

ମତାମତ ଦିଅନ୍ତୁ ।