କାଳିଆ ପ୍ରସଙ୍ଗରେ ଧର୍ମେନ୍ଦ୍ର କାହିଁକି ଚୁପ୍‌ ?

ଭୁବନେଶ୍ୱର : କାଳିଆ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ସ୍ୱରକୁ ଶାଣିତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏ ଦୁଇ ଦଳର ନୀତି ଭିନ୍ନ ହୋଇଥିଲେ ମଧ୍ୟ କାଳିଆ ପ୍ରସଙ୍ଗରେ ଗୋଟିଏ ରାସ୍ତାରେ ଚାଲିବା ପରି ମନେ ହେଉଛି । ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କରିଛନ୍ତି ଟାର୍ଗେଟ୍। କିନ୍ତୁ ଓଡ଼ିଶାର ସବୁ ପ୍ରସଙ୍ଗରେ ମତ ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀରବ। ଏହି ନୀରବତାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠୁଲାଣି। କେତେକ କହୁଛନ୍ତି ଧର୍ମେନ୍ଦ୍ର ସୁବିଧାବାଦୀ। ବିବାଦୀୟ ପ୍ରସଙ୍ଗରେ ମୁହଁ ଖୋଲି ନିଜ ଉପରକୁ ବିପଦ ଡାକି ଆଣିବାକୁ ସେ ଚାହୁଁ ନାହାନ୍ତି ।

ସେହିପରି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଚଳିତ ବର୍ଷର ରଥଯାତ୍ରାକୁ ନେଇ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଦାବି କରିଥିଲେ ରଥଯାତ୍ରା ହେବ କି ନାହିଁ ସରକାର ସ୍ପଷ୍ଟ କରନ୍ତୁ । ପରେ କଂଗ୍ରେସ ଏହି ରାସ୍ତା ଆପଣାଇ ବିଜେପି ସହିତ ସ୍ୱର ମିଳାଇଥିଲା । ହେଲେ ଧର୍ମେନ୍ଦ୍ର ଚୁପ୍ ରହିଥିଲେ । ରଥଯାତ୍ରା ସରିବା ପର୍ଯ୍ୟନ୍ତ ପଦୁଟିଏ କହିନଥିଲେ । ଠିକ୍ ସେହିପରି କାଳିଆ ପ୍ରସଙ୍ଗ। ଟଙ୍କା ଫେରାଇବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିଠି ଲେଖା ଯିବା ପରେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ଆଗକୁ ଆସିଛନ୍ତି । ଟଙ୍କା ନ ଫେରାଇବାକୁ ହିତାଧିକାରୀଙ୍କୁ କରିଛନ୍ତି ଅନୁରୋଧ । ହେଲେ ଧର୍ମେନ୍ଦ୍ର ନୀରବ । ଏହା କିଛି ଭିନ୍ନ ସନ୍ଦେଶ ଦେଉଛି । ତେବେ ଏ ନୀରବତାର କାରଣ କ’ଣ ? ସେ କାହିଁକି ମୁହଁ ଖୋଲୁ ନାହାଁନ୍ତି ? ସାଧାରଣରେ ଏପରି ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ପ୍ରାୟ ୩ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ। ସେମାନଙ୍କୁ କିଏ ଯୋଗ୍ୟ କରିଥିଲା, ଆଉ କେମିତି ଅଯୋଗ୍ୟ ହେଲେ ତାହା ବିଚାରଯୋଗ୍ୟ । କିନ୍ତୁ କାହିଁକି ବିଳମ୍ବରେ ସରକାର ଏ ନିଷ୍ପତ୍ତି ନେଲେ ସେ ସମ୍ପର୍କରେ ଧର୍ମେନ୍ଦ୍ର କଣ କହିବା ମନା। ହେଲେ ଏହି ପ୍ରସଙ୍ଗଠାରୁ ନିଜକୁ ଦୂରେଇ ରଖି ଧର୍ମେନ୍ଦ୍ର ହରିଦାଶପୁର-ପାରାଦୀପ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାର କାରଣ କ’ଣ ? କାଳେ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନାଁ ନେଇଯିବେ ସେଥିପାଇଁ ଧର୍ମେନ୍ଦ୍ର ଏପରି ଚିଠି ଲେଖିଲେ କି ?

ଅନ୍ୟପକ୍ଷରେ ରାଜନୈତିକ ବିଶାରଦମାନେ କହୁଛନ୍ତି ସରକାରୀ ଦଳ ସହିତ ଧର୍ମେନ୍ଦ୍ରଙ୍କର ଭିତିରି ସମ୍ପର୍କ ରହିଛି । କାଳିଆ ପ୍ରସଙ୍ଗରେ ମୁହଁ ଖୋଲିଲେ ସମ୍ପର୍କ ତୁଟିଯିବ । ଏ କଥା ଆମକୁ ଜଣାନାହିଁ। ଯେହେତୁ ରଥଯାତ୍ରା ପରି କାଳିଆ ପ୍ରସଙ୍ଗରେ ସେ ନୀରବ ରହିଛନ୍ତି ସେଥିପାଇଁ ଚର୍ଚ୍ଚା ପରିସରକୁ ଆସିଛନ୍ତି। କିନ୍ତୁ ଅନ୍ୟ କେତେକଙ୍କ ଯୁକ୍ତି ହେଲା ଧର୍ମେନ୍ଦ୍ର କିଛି ନ କହିଲେ ମଧ୍ୟ ତାଙ୍କ ସମର୍ଥକମାନେ କାଳିଆ ପ୍ରସଙ୍ଗକୁ ଜୋରଦାର୍ କରିଛନ୍ତି। ସେ ଅଧିକ କ’ଣ କହିବେ । ଏହାକୁ ଯୁକ୍ତିଯୁକ୍ତ ବୋଲି କୁହାଯାଇ ପାରୁନି। ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସେ ମତ ରଖି ଆସିଛନ୍ତି। ତେଣୁ ଏବେ ଚୁପ ରହିଲେ ଭିନ୍ନ କଥା ଉଠିବ। ଏହାଛଡା ରାଜ୍ୟବାସୀଙ୍କ ପ୍ରତି ତାଙ୍କର କେତେ ଦରଦ ତାହା ଆଉ ଲୋକେ ଆପେ ବୁଝିଯିବେ। ସେମାନକୁ ବୁଝାଇବାକୁ ପଡିବନି ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।