କାଳିଆ ଟଙ୍କା ବଢ଼ାଇବ ଅଡ଼ୁଆ

ଭୁବନେଶ୍ୱର: ରାଜ୍ୟ ସରକାର କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ଚିଠି ଲେଖିବା ପରେ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ଅଭିଯୋଗ ଆଣିଛନ୍ତି ନିର୍ବାଚନ ପାଇଁ ଏହି ଯୋଜନା କରାଯାଇଥିଲା । ଜିତିବା ପରେ ଟଙ୍କା ଫେରସ୍ତ ପାଇଁ କୁହାଯାଉଛି । ଏଭଳି ପରିସ୍ଥିତି ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

ରାଜ୍ୟ ସରକାରଙ୍କ ଆକର୍ଷଣୀୟ ଯୋଜନା କାଳିଆ । କୃଷି କାର୍ଯ୍ୟ ପାଇଁ ଏହି ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଯୋଗାଇ ଦେବେ ବୋଲି ସରକାର ଘୋଷଣା କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟ ଟଙ୍କା ପଠାଗଲା । ଦ୍ୱିତୀୟ କିସ୍ତି ଏଯାଏଁ ମିଳିନଥିବା ବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କାଳିଆ ଯୋଜନାର ସମ୍ମିଶ୍ରଣ ହୋଇଛି । ଏବେ କେନ୍ଦ୍ର ସରକାର ବାର୍ଷିକ ୬ହଜାର ଓ ରାଜ୍ୟ ସରକାର ୪ହଜାର ଟଙ୍କା କୃଷକମାନଙ୍କୁ ପ୍ରଦାନ କରିବେ । କିନ୍ତୁ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଏହାକୁ ନେଇ ପ୍ରଶ୍ନ ଉଠିଛି । ସରକାରଙ୍କୁ ଟାର୍ଗେଟ୍ କରିବାକୁ ବିରୋଧୀଙ୍କୁ ମିଳିଛି ମଉକା । ଟଙ୍କା ପାଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବିରୋଧୀ ଦଳ ନେତା କେହି ଟଙ୍କା ନ ଫେରାଇବାକୁ ଅନୁରୋଧ କରିଛନ୍ତି ।

ବର୍ତ୍ତମାନ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସରକାରଙ୍କ ପାଇଁ ଅଡ଼ୁଆ ବଢ଼ାଇବ ବୋଲି କୁହାଯାଉଛି । କାରଣ କାଳିଆ ଯୋଜନା ଘୋଷଣା ହେବା ପରେ ସହାୟତା ରାଶି ପାଇବା ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆବେଦନ କରିବାକୁ ଫର୍ମ ମିଳିଲାନି । ଯିଏ ଯାହା କହିଲା ସେତିକି ଟଙ୍କା ଦେଇ ଚାଷୀ ଫର୍ମ କିଣିଲେ । ତା’ପରେ ଆରମ୍ଭ ହେଲା ଯାଞ୍ଚ । ଏଥିରେ ମଧ୍ୟ ଅର୍ଥ କାରବାର ହେଲା । ଏସବୁ ପ୍ରକ୍ରିୟା ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନାର ପ୍ରଥମ କିସ୍ତି ଅର୍ଥ । ଏବେ କୁହାଯାଉଛି ଅର୍ଥ ଫେରାଅ । ତୁମେ ଯୋଗ୍ୟ ହିତାଧିକାରୀ ନୁହଁ । ତେବେ ଏମାନେ କେଉଁ ଆଧାରରେ ଯୋଗ୍ୟ ହୋଇଥିଲେ? ଯେଉଁମାନେ ଏମାନଙ୍କୁ ଚୟନ କରିଥିଲେ ସେମାନେ ଗଲେ କୁଆଡ଼େ? ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ କାହିଁକି? ବିଭିନ୍ନ ମହଲରେ ଏହି ଆଲୋଚନା ଜୋର୍ ଧରିଛି । ଲୋକେ କହୁଛନ୍ତି ସବୁ ଦୋଷ କ’ଣ ଚାଷୀଙ୍କର । କାଳିଆ ଯୋଜନା ଟଙ୍କା ପାଇବା ପାଇଁ ଲୋକଙ୍କର ଭୁଲ୍ ରହିଲା କେଉଁଠି? ସେମାନଙ୍କୁ ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ଟଙ୍କା ଦିଆଗଲା । ଯାହାକୁ ସେମାନେ ଖର୍ଚ୍ଚ କଲେ । ଏବେ କେଉଁଠି ଆଣି ଫେରାଇବେ । ତା’ଛଡ଼ା ଏହି ସହାୟତା ପାଇଁ ସେମାନଙ୍କର ଯେଉଁ ସମୟ ଅପଚୟ ଓ ଅର୍ଥ ଖର୍ଚ୍ଚ ହୋଇଛି ତାକୁ ଦେବ କିଏ?

ମତାମତ ଦିଅନ୍ତୁ ।