କମ୍ପ୍ୟୁଟର ବାବା ଗିରଫ : ଆଶ୍ରମ ଉପରେ ଚାଲିଲା ବୁଲଡୋଜର

ଇନ୍ଦୋର : କମ୍ପ୍ୟୁଟର ବାବା ଓରଫ ନାମଦେବ ଦାସ ତ୍ୟାଗୀ ଗିରଫ। ତାଙ୍କ ବିରୋଧରେ ଇନ୍ଦୋର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବାବାଙ୍କ ସମେତ ୪ ସହଯୋଗୀଙ୍କୁ ଅଟକ ରଖାଯାଇଛି। ଆଶ୍ରମ ଉପରେ ଚାଲିଛି ବୁଲଡୋଜର।

ଖବର ଅନୁଯାୟୀ ବାବା ଇନ୍ଦୋର ଏୟାରପୋର୍ଟ ରୋଡରେ ୪୬ ଏକର ଜମି ଜବରଦଖଲ କରି ଦୁଇ ଏକର ଉପରେ ଆଶ୍ରାମ ନିର୍ମାଣ କରି ରହୁଥିଲେ। ଜମି ବାବଦରେ ପ୍ରମାଣ ଉପସ୍ଥାପନ କରିବାକୁ ପ୍ରଶାସନ ନୋଟିସ ଦେଇଥିଲେ ହେଁ ବାବା ଜବାବ ଦେଉନଥିଲେ। ଜମି ଜବରଦଖଲ ସ୍ପଷ୍ଟ ହେବା ପରେ ପ୍ରଶାସନ ରବିବାର ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। ଉଚ୍ଛେଦ ସମୟରେ ବିରୋଧ ଆଶଙ୍କା କରି ପୋଲିସ ବାବା ଓ ତାଙ୍କ ୪ ସହଯୋଗୀଙ୍କୁ ପୂର୍ବରୁ ଗିରଫ କରି ସତର୍କତାମୂଳକ ଅଟକ ରଖିଥିବା ଜଣାପଡିଛି।

ମଧ୍ୟପ୍ରଦେଶରେ ନାମଦେବ ଦାସ ତ୍ୟାଗୀ କମ୍ପ୍ୟୁଟର ବାବା ଭାବେ ଜଣାଶୁଣା। ରାଜନୀତିରେ ରୁଚି ରହିଛି। ନିକଟରେ ଶିବରାଜ ସିଂହ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର’ ବଞ୍ଚାଅ ଯାତ୍ରା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଗତ ଲୋକସଭା ନିର୍ବାଚନରେ ବାବା ସ୍ଵାଧ୍ୱୀ ପ୍ରଜ୍ଞା ସିଂହଙ୍କୁ ବିରୋଧ କରିଥିଲେ। ଦିଗବିଜୟ ସିଂହଙ୍କ ଲାଗି ଯଜ୍ଞ କରିଥିବା ଘଟଣା ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା।

୨୦୧୮ ମସିହାରେ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନାମଦେବ ଦାସ ତ୍ୟାଗୀଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ନର୍ମଦା ବନିକରଣ ଅନିୟମିତତା ମାମଲାର ତଦନ୍ତ ଲାଗି ଶିବରାଜ ଗଠନ କରିଥିବା କମିଟିରେ ବାବାଙ୍କୁ ସାମିଲ କରି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ। ଏଥିରୁ ବାବା ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବା ସହ କଂଗ୍ରେସକୁ ସମର୍ଥନ କରୁଥିଲେ। ପ୍ରଶାସନର କମ୍ପ୍ୟୁଟର ବାବାଙ୍କ ଆଶ୍ରମ ଉଚ୍ଛେଦ ପ୍ରକ୍ରିୟାକୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କହିଛନ୍ତି। ଶିବରାଜ ସିଂହ ରାଜ୍ୟରେ ଏତେ ବର୍ଷରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ବାବା ସରକାରୀ ଜମି ଜବରଦଖଲ କରି ଆଶ୍ରମ କରିଥିବା ବିଷୟରେ ଅଜ୍ଞଥିଲେ କି ବୋଲି ଦିଗବିଜୟ ପ୍ରଶ୍ନ କରିଥିବା ବେଳେ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ଆଶ୍ରମକୁ ଭାଙ୍ଗି ଦିଆଯାଇଥିବା ଦିଗବିଜୟ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।